Odiapua.com

ଗୋଟିଏ ଲୋକର ଦୁଇଟି ମୃତ୍ୟୁ ପଂଜିକରଣ ସାର୍ଟିଫିକେଟ୍ : ନକଲ ମୃତ୍ୟୁ ସାର୍ଟିଫିକେଟ୍‌କୁ ନେଇ ଦ୍ୱନ୍ଦ୍ୱରେ ପରିବାର

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ନିୟମ ଅନୁଯାୟୀ ଜନ୍ମ-ମୃତ୍ୟୁ ପଂଜିକରଣ କରାଇବା ବାଧ୍ୟତାମୂଳକ । ହେଲେ ଏପରି ନିୟମକୁ ଉଲ୍ଲଂଘନ କରି ଗୋଟିଏ ଲୋକର ମୃତ୍ୟୁ ପଞ୍ଜିକରଣ ୨ଟି ସ୍ଥାନରେ କରାଯିବା ସହ ପ୍ରମାଣ ପତ୍ର ବାହାରିଥିବା ଖବର ଚାନ୍ଦବାଲି ବ୍ଲକ୍ ସୁନ୍ଦରପୁର ପଂଚାୟତ ଖଟୁଆପାଟଣା ଗାଁରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଖଟୁଆପାଟଣା ଗାଁର ଇନ୍ଦ୍ରମଣି ଖଟୁଆ ପଶ୍ଚିମବଙ୍ଗ କଲକାତାସ୍ଥିତ ଚବିଶି ପ୍ରଗଣା ଜିଲାରେ ଦୀର୍ଘ ୨୫/୩୦ ବର୍ଷ ହେବ ଏକ ଘରୋଇ କଂପାନୀରେ ଚାକିରୀ କରୁଥିଲେ । ଇନ୍ଦ୍ରମଣିଙ୍କର ୫୩ ବର୍ଷ ବୟସରେ ୧୯୯୪ ମସିହା ଏପ୍ରିଲ ୧୮ ରେ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅରୁଣ ଖଟୁଆ ପ୍ରକାଶ କରିଛନ୍ତି । ତାହାସହ ପଶ୍ଚିମବଙ୍ଗ ହାଲିସାର ମ୍ୟୁନିସିପାଲଟି ପକ୍ଷରୁ କେଶ୍ ନଂ ୮୩୪/୯୩ ଅନୁଯାୟୀ ମୃତ୍ୟୁ ସାର୍ଟିଫିକେଟ୍ ତାଙ୍କ ପୁଅ ଅରୁଣଙ୍କୁ ମିଳିଥିଲା । ଅରୁଣ ଉକ୍ତ ମୃତ୍ୟୁ ସାର୍ଟିଫିକେଟ୍ ଆଧାରରେ ଭଦ୍ରକ ଜିଲା ଚାନ୍ଦବାଲି ତହସିଲରୁ ତାଙ୍କ ବାପାଙ୍କର ଲିଗାଲ ହେୟାର ସାର୍ଟିଫିକେଟ୍ କେଶ୍ ନଂ ୭୧୨/୧୯୯୩ ରେ ପାଇଥିବା ପ୍ରକାଶ କରିଛନ୍ତି । ହେଲେ ଉକ୍ତ ଗାଁର ଜଣେ ମହିଳା ଇନ୍ଦ୍ରମଣିଙ୍କର ସ୍ତ୍ରୀ ଦର୍ଶାଇ ଚକ୍ରାନ୍ତ ମୂଳକ ଭାବେ ଇନ୍ଦ୍ରମଣିଙ୍କର ମୃତ୍ୟୁ ସାର୍ଟିଫିକେଟ୍ ଚାନ୍ଦବାଲି ମେଡିକାଲରୁ ବାହାର କରିବା ସହ ତହସିଲରୁ ଲିଗାଲ ହେୟାର ସାର୍ଟିଫିକେଟ୍ ବାହାର କରିଥିବା ଅରୁଣ ଅଭିଯୋଗ ଆଣିଛନ୍ତି । ସଂପୃକ୍ତ ମହିଳା ଜଣକ ୧୯୯୨ ମସିହା ଫେବୃୟାରୀ ୨୧ ରେ ଇନ୍ଦ୍ରମଣିଙ୍କର ଚାନ୍ଦବାଲି ବ୍ଲକ୍ ସୁନ୍ଦରପୁର ପଂଚାୟତ ଖଟୁଆପାଟଣା ଗାଁରେ ମୃତ୍ୟୁ ହୋଇଥିବା ନେଇ ଚାନ୍ଦବାଳି ମେଡିକାଲରେ ମୃତ୍ୟୁ ପଂଜିକରଣ ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସହ ୨୦୧୯ ଫେବୃୟାରୀ ୨୦ ରେ ମୃତ୍ୟୁ ସାର୍ଟିଫିକେଟ୍ ହାସଲ କରିଛନ୍ତି । ତାହା ସହ ଲିଗାଲ ହେୟାର ସାର୍ଟିଫିକେଟ୍ ମଧ୍ୟ ୨୦୧୭ ରେ ଚାନ୍ଦବାଳି ତହସିଲରୁ ହାସଲ କରିଥିବା ଅରୁଣ ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳାଙ୍କୁ ଅରୁଣ ଚିହ୍ନି ନଥିବା ବେଳେ ତାଙ୍କ ବାପାଙ୍କ ନାଁରେ ମିଥ୍ୟା ମୃତ୍ୟୁ ସାର୍ଟିଫିକେଟ୍ ବାହାର କରି ଇନ୍ଦ୍ରମଣିଙ୍କର ସ୍ତ୍ରୀ ଦର୍ଶାଇଛନ୍ତି । ଏପରିକି ଅରୁଣ ଏହାର ସତ୍ୟତା ପାଇଁ ୨୦୧୯ ଅଗଷ୍ଟ ୮ ରେ ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ପାଇଁ ଚାନ୍ଦବାଲି ତହସିଲ ଓ ମେଡିକାଲରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଆଜିପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ଅରୁଣ ପ୍ରକାଶ କରିଛନ୍ତି । ଏପରି ଘଟଣା ସଂପର୍କରେ ଚାନ୍ଦବାଲି ମେଡିକାଲ ଇନ୍‌ଚାର୍ଜଙ୍କୁ ଯୋଗାଯୋଗ କରିବାରୁ ସେ ନୂଆକରି ମେଡିକାଲକୁ ଆସିଛନ୍ତି, ଘଟଣା ବାବଦରେ ଅନୁଧ୍ୟାନ କରିବା ପରେ ଯାହାକିଛି ଜାଣି ହେବ ବୋଲି ପ୍ରକାଶ କରିଛନ୍ତି । ଏନେଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର କୁହନ୍ତି ଘଟଣାର ଅନୁଧ୍ୟାନ ପରେ ଯିଏ ମିଥ୍ୟା ସାର୍ଟିଫିକେଟ୍ ହାସଲ କରିଥିବ, ତାହାକୁ ଖାରଜ କରାଯିବ ବୋଲି କହିଛନ୍ତି । ତେବେ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।