Odiapua.com

ଗୋଟିଏ ମୁର୍ମୁଙ୍କୁ ମୋହରାକରି କୋଟିଏ ଆଦିବାସୀଙ୍କୁ ପ୍ରତାରଣା : – ୪ବର୍ଷ ହେଲା ଆଦିବାସୀ ଉପଦେଷ୍ଟା ସମିତି ଗଠନ କରୁନାହାନ୍ତି ନବୀନ – ଦୁଇବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଦେଇଛନ୍ତି ମୋଦି ସରକାର

ଭୁବନେଶ୍ୱର ୨୯.୬ (ଓଡ଼ିଆ ପୁଅ) – ଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥିଭାବରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି କରାଯିବା ପରେ ମାଟି ଓ ପାର୍ଟିକୁ ନେଇ ଯେଉଁ ରାଜନୀତି ଉଭୟ ବିଜେପି ଓ ବିଜେଡ଼ି ଆରମ୍ଭ କରିଛନ୍ତି ତାକୁ କଂଗ୍ରେସ ନାପସନ୍ଦ କରିବା ସହିତ ସରଳ ଆଦିବାସୀଙ୍କର ଭାବାବେଗ ସହିତ ନ ଖେଳି ତାଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛି। ଆଜିର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ ଉଭୟ ବିଜେପି ଏବଂ ବିଜେଡ଼ିକୁ ଆଦିବାସୀ ସ୍ୱାର୍ଥ ବିରୋଧି ଦଳ ଭାବରେ ଅଭିହିତ କରିବା ସହିତ କଡ଼ା ସମାଲୋଚନା କରି କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯିଏକି ରାଜ୍ୟରେ ଆଦିବାସୀଙ୍କର ବିକାଶ ପାଇଁ ଗଠିତ ହୋଇଥିବା ଟ୍ରାଇବ୍ ଆଡଭାଇଜରି କାଉନ୍‌ସିଲ ବା ଆଦିବାସୀ ଉପଦେଷ୍ଟା ସମିତିର ଅଧ୍ୟକ୍ଷ ଥାଇ ମଧ୍ୟ ବିଗତ ୪ ବର୍ଷ ଭିତରେ ଥରୁଟିଏ ହେଲେ ବୈଠକ ଡାକିନାହାନ୍ତି ବା ଡାକିବାକୁ ଉପଯୁକ୍ତ ଭାବିନାହାନ୍ତି। ରାଷ୍ଟ୍ରପତି ନିର୍ବାଚନ ଏକ ରାଜନୈତିକ ପ୍ରକ୍ରିୟା ଏବଂ ଚଳିତ ନିର୍ବାଚନରେ ବିଜେପିର ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡ଼ି ସମର୍ଥନ ଦେଉଛି। କିନ୍ତୁ ପାର୍ଟି ଓ ମାଟିର ନାରା ଦେଇ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷାକୁ ଅଗ୍ରାଧିକାର ଦେବା ପରିବର୍ତେ କଂଗ୍ରେସ ଉପରକୁ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ। ପ୍ରାର୍ଥିତ୍ୱକୁ ନେଇ କଂଗ୍ରେସ କୁ ଅଜାଚିତ ଉପଦେଶ ଦେଉଥିବା ବିଜେପି ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ମାନଙ୍କର କଲ୍ୟାଣ ନିମନ୍ତେ ଟଏସିର ବିନା ଅନୁମତିରେ କୋଟି କୋଟି ଟଙ୍କା ବେଆଇନ ଭାବରେ ଖର୍ଚ୍ଚ କରାଯିବାକୁ ନେଇ କାହିଁକି ପ୍ରଶ୍ନ ଉଠାଇ ନାହିଁ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନବୀନ ବାବୁଙ୍କ ପାଖରେ ଟିଏସି ଗଠନ ଏବଂ ଏହାର ତୁରନ୍ତ ବୈଠକ ଡାକିବା ପାଇଁ ଦାବି ରଖିବକି? ମାଟିର ପୁଅ ହିସାବରେ ମିଳିତ ବିରୋଧି ଦଳର ପ୍ରାର୍ଥି ଯଶୋବନ୍ତ ସିହ୍ନାଙ୍କୁ ବିହାର ବିଜେପି ସମର୍ଥନ ଦେବକି? ଓଡ଼ିଶାରେ ୨୦୧୯ ମସିହା ପରଠାରୁ ଟିଏସି ବା ଆଦିବାସୀ ଉପଦେଷ୍ଟା ସମିତିର ଗଠନ କରାଯାଇ ନାହିଁ। ରାଜ୍ୟରେ ଏସ୍‌ଡିସି ବା ସ୍ପେଷାଲ ଡେଭଲପମେଂଟ କାଉନ୍‌ସିଲ ୯ଟି ଆଦିବାସୀ ଅଦ୍ୟୁଷିତ ଜିଲ୍ଲାରେ କାର୍ଯ୍ୟକରୁଥିବା ବେଳେ ଏହାର ଗଠନ ଏବଂ ପରିଚାଳନା ନେଇ ଟିଏସିର କୌଣସି ଅନୁମୋଦନ ନଥିବା ଅତ୍ୟନ୍ତ ପରିତାପର ବିଷୟ। ବିଗତ ୨୨ ବର୍ଷ ଭିତରେ ଓଡ଼ିଶାରେ ୪୪ଥର ଟିଏସିର ବୈଠକ ବସିବା କଥା ମାତ୍ର ୧୭ଥର ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥାତ ୨୭ଟି ବୈଠକ ଏପର୍ଯ୍ୟନ୍ତ ବସିନାହିଁ। ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ୨୨ ପ୍ରତିଶତ ଏବଂ ସର୍ବଭାରତୀୟ ସ୍ତରରେ ତୃତୀୟ ବୃହତମ ହୋଇଥିବା ବେଳେ ବିଗତ ଦୁଇବର୍ଷ ଧରି କେନ୍ଦ୍ର ମୋଦି ସରକାରଙ୍କର ଆଦିବାସୀ ମାନଙ୍କ ନିମନ୍ତେ ଆସୁଥିବା ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରି ରଖାଯିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ମୋଦି ସରକାରଙ୍କ ଆଦିବାସୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟ ବିଜେଡ଼ି ସ୍ୱରଉତୋଳନ କରିବା ସହିତ ବିଗତ ଦୁଇବର୍ଷ ଧରି ବନ୍ଦ ଥିବା ସ୍ୱତନ୍ତ୍ର ଅନୁଦାନ ପାଇଁ ମୋଦି ସରକାରଙ୍କ ପାଖରେ ଦାବି ରଖିବ କି? କଳିଙ୍ଗ ନଗର ଆଦିବାସୀ ନରସଂହାର ଘଟଣା ସମୟରେ ବିଜେପି ବିଜେଡ଼ି ଗଠବନ୍ଧନ ସରକାରରେ ମନ୍ତ୍ରୀ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଧାନସଭାରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିନଥିଲେ କି ଏ ସଂପର୍କରେ ପାଟି ଖୋଲିନଥିଲେ। ବାସ୍ତବରେ ପାର୍ଟିର ଦ୍ୱାହି ଦେଇ ମାଟିକୁ ମାରା କରିଛନ୍ତି ଉଭୟ କ୍ଷମତାରେ ଥିବା ବିଜେପି ଓ ବିଜେଡ଼ି। ଓଡ଼ିଶାରେ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ବିଗତ ୨୨ ବର୍ଷଧରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଭଳି ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି। ଖୋଦ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ୨୨ ବର୍ଷଧରି ବିଜୁଳି ସଂଯୋଗ ନଥିବା ପ୍ରମାଣିତ କରୁଛି ଯେ ଉଭୟ ବିଜେପି ଓ ବିଜେଡ଼ି ଆଦିବାସୀଙ୍କ ସ୍ୱାର୍ଥକୁ ନେଇ କେତେ ଗମ୍ଭୀର। ନିକଟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଦିବାସୀ ଶୋଷଣ କାର୍ଯ୍ୟ ବିରୋଧରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଉପସ୍ଥିତ ହେବାପାଇଁ ସମନ ଏବଂ ତାକୁ ନେଇ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବା ଆଦିବାସୀ ଶୋଷଣର ଆଉ ଏକ ନମୂନା। ଆଦିବାସୀଙ୍କ ନାଯ୍ୟ ଦାବି ଓ ଅଧିକାର ପାଇଁ ପ୍ରଦେଶ କଂଗ୍ରେସ ସବୁବେଳେ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ଏବଂ ଏ କ୍ଷେତ୍ରରେ ହୀନ ରାଜନୀତିକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।