– ମୋଟ ୨୪ ଦିନ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ
– ସଂସଦର ଉଭୟ ସଦନରେ ୧୧ଟି ବିଲ ପାରିତ; ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ଗୋଟିଏ ବିଲ ଆଗତ
– ଲୋକସଭାରେ ୮୨ ପ୍ରତିଶତ ଏବଂ ରାଜ୍ୟସଭାରେ ପ୍ରାୟ ୪୮ ପ୍ରତିଶତ କାର୍ଯ୍ୟ ସମ୍ପାଦନ
ଉଭୟ ସଦନରେ ଅଧ୍ୟାଦେଶ ସ୍ଥାନରେ ଆଗତ ତିନୋଟି ବିଲ ଆଗ ଏବଂ ପାରିତ
– ଜୈବ ବିବିଧତା (ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ସଦନର ଯୁଗ୍ମ ସମିତିକୁ ସୁପାରିସ; ଷ୍ଟାଣ୍ଡିଂ କମିଟିର ବିଚାର ପାଇଁ ଗଲା ୫ଟି ବିଲ
ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ ସଂସଦୀୟ ବ୍ୟାପାର ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି. ମୁରଲୀଧରନ ଆଜି ଏଠାରେ ଗଣମାଧ୍ୟମକୁ ଉଦବୋଧନ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀମାନେ ସୂଚନା ଦେଇଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନ, ୨୦୨୧କୁ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏହି ଅଧିବେଶନ ୨୯ ନଭେମ୍ବର, ୨୦୨୧ ସୋମବାର ଦିନ ଆରମ୍ଭ ହୋଇଥିଲା। ଏହାର କାର୍ଯ୍ୟକାଳ ଡିସେମ୍ବର ୨୩, ଗୁରୁବାର ପର୍ଯ୍ୟନ୍ତ ଥିଲା। ତେବେ ଏହାକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ୨୨ ଡିସେମ୍ବର ୨୦୨୧ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଜରୁରି ସରକାରୀ କାର୍ଯ୍ୟ ଦିବସର ଗୋଟିଏ ଦିନ ପୂର୍ବରୁ ସଂସଦକୁ ମୁଲତବୀ ରଖାଯାଇଛି। ମୋଟ ୨୪ ଦିନ ମଧ୍ୟରେ ଏହି ଅଧିବେଶନରେ ୧୮ଟି ବୈଠକ ବସିଥିଲା।
ଏହି ଅଧିବେଶନ କାଳରେ, ଲୋକସଭାରେ ୧୨ଟି ଏବଂ ରାଜ୍ୟସଭାରେ ଗୋଟିଏ ମିଶାଇ ମୋଟ ୧୩ଟି ବିଲ ଉପସ୍ଥାପନ କରାଯାଇଥିଲା। ୧୧ଟି ବିଲ ସଂସଦର ଉଭୟ ସଦନରେ ଗୃହୀତ ହୋଇଥିଲା। ଏଥିରେ ଗୋଟିଏ ଅର୍ଥ ବିଧେୟକ ସାମିଲ ରହିଛି। ଏହା ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ଅନୁଦାନ ସହ ଜଡ଼ିତ। ଏହି ବିଲ ଲୋକସଭାରେ ପାରିତ ହେବା ପରେ ଅନୁଚ୍ଛେଦ ୧୦୯(୫) ଅଧୀନରେ ଧାର୍ଯ୍ୟ ଅବଧି ଶେଷ ହେବାର ୧୪ ଦିନ ପରେ ରାଜ୍ୟସଭାରେ ମଧ୍ୟ ପାରିତ ହେଲା ବୋଲି ଗ୍ରହଣ କରାଯିବ।
ରାଷ୍ଟ୍ରପତିଙ୍କ ଦ୍ବାରା ଜାରି କରାଯାଇଥିବା ଅଧ୍ୟାଦେଶ ସ୍ଥାନରେ ୩ଟି ବିଲ ସଂସଦର ଉଭୟ ଗୃହରେ ଅନୁମୋଦନ ଲାଭ କରିଛି। ସେଗୁଡ଼ିକ ହେଲା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସଂଶୋଧନ ଅଧ୍ୟାଦେଶ, ୨୦୨୧ (୨୦୨୧ର ୯), ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ, ୨୦୨୧ (୨୦୨୧ର ୧୦) ଏବଂ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରପିକ ସବଷ୍ଟାନ୍ସେସ (ସଂଶୋଧନ) ଅଧ୍ୟାଦେଶ ୨୦୨୧ (୨୦୨୧ର ୮)।
ଜୈବ ବିବିଧତା (ସଂଶୋଧନ) ବିଲ, ୨୦୨୧ ସଂସଦର ଉଭୟ ସଦନର ଯୁଗ୍ମ ସମିତିକୁ ସୁପାରିସ କରାଯାଇଥିଲଶ। ସେହିପରି ଷ୍ଟାଣ୍ଡିଂ କମିଟିର ବିଚାର ପାଇଁ ୫ଟି ବିଲ ପଠାଯାଇଥିଲା।
ସେହିପରି ଅଧ୍ୟାଦେଶ ସ୍ଥାନରେ ଆଉ କେତୋଟି ଗୁରୁତ୍ବପୂର୍ଣ୍ଣ ବିଲ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଥିଲା। ଏଥିରେ ରହିଛି କୃଷି ଆଇନ ଉଚ୍ଛେଦ ବିଲ ୨୦୨୧। ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଏବଂ ସ୍ବାଧୀନତାର ୭୫ତମ ବର୍ଷରେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବା ଉଦ୍ଦେଶ୍ୟରେ ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ଲାଗି ସଂସଦରେ ବିଲ ଆଗ କରାଯାଇଥିଲା। ଏହି ତିନୋଟି କୃଷି ଆଇନ ହେଉଛି-ମୂଲ୍ୟ ସୁନିଶ୍ଚିତତା ଉପରେ ଚାଷୀ (ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା, କୃଷି ସେବା ଆଇନ, ୨୦୨୦, ଚାଷୀଙ୍କ ଉତ୍ପାଦିତ ଫସଲ ବାଣିଜ୍ୟ ଏବଂ ବ୍ୟବସାୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦। ଚାଷୀଙ୍କ ସାମଗ୍ରୀକ ବିକାଶ ଲକ୍ଷ୍ୟ ନେଇ ଏସବୁ ବିଲ ସେପ୍ଟେମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିଲା।
ନଦୀବନ୍ଧ ସୁରକ୍ଷା ବିଲ, ୨୦୨୧ ମଧ୍ୟ ସଂସଦର ଅନୁମୋଦନ ଲାଭ କରିଛି। ଏହା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନଦୀବନ୍ଧର ନିରୀକ୍ଷଣ, ଅନୁଧ୍ୟାନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ସୁବିଧା ଯୋଗାଇ ଦେବ। ଯାହାଫଳରେ ନଦୀବନ୍ଧ ବିଫଳତା ଜନିତ ବିପର୍ଯ୍ୟୟ ନିରାକରଣ କରିବା ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏଗୁଡ଼ିକର ନିରାପଦ ପରିଚାଳନା ସୁନିଶ୍ଚିତ କରିବ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଲ ହେଉଛି ସହାୟକ ପ୍ରଜନନ ପ୍ରଯୁକ୍ତି (ନିୟାମକ) ବିଲ ୨୦୨୧। ଏହା ସହାୟକ ପ୍ରଜନନ ପ୍ରଯୁକ୍ତି କ୍ଲିନିକ, ସହାୟକ ପ୍ରଜନନ ପ୍ରଯୁକ୍ତି ବ୍ୟାଙ୍କର ନିୟାମକ ଏବଂ ନିରୀକ୍ଷଣ ପାଇଁ ଜାତୀୟ ବୋର୍ଡ, ରାଜ୍ୟ ବୋର୍ଡ ଏବଂ ଜାତୀୟ ରେଜିଷ୍ଟ୍ରୀ ସ୍ଥାପନରେ ସହାୟକ ହେବ। ଏହା ସହାୟକ ପ୍ରଜନନ ପ୍ରଯୁକ୍ତିର ଅପବ୍ୟବହାର ରୋକିବା ସହ ଏହି କ୍ଷେତ୍ରରେ ନିରାପଦ ଏବଂ ନୈତିକ କାର୍ଯ୍ୟଧାରା ପ୍ରତିଷ୍ଠା କରିବ।
ସେହିପରି ସରୋଗେସୀ (ନିୟାମକ) ବିଲ ୨୦୨୧, ଦେଶରେ ସରୋଗେସୀ ସେବାର ନିୟାମକ ପାଇଁ ବ୍ୟବସ୍ଥା କରିବା ସହିତ ସରୋଗେସୀ କରୁଥିବା ମା’ ଏବଂ ଶିଶୁଙ୍କର ଅଧିକାରକୁ ସୁରକ୍ଷା ଦେବ। ଏହାଛଡ଼ା ଜାତୀୟ ଫାର୍ମସ୍ୟୁଟିକାଲ୍ସ ଶିକ୍ଷା ଏବଂ ଗବେଷଣା ସଂଶୋଧନ ବିଲ, ୨୦୨୧ ଦେଶରେ ଫାର୍ମସ୍ୟୁଟିକାଲ ଶିକ୍ଷା ଓ ଗବେଷଣା ଆଇନ ଅଧୀନରେ ପ୍ରତିଷ୍ଠିତ ସଂସ୍ଥାନଗୁଡ଼ିକ ମଧ୍ୟରେ ସମନ୍ବୟ ଆଣିବ।
ଭୋଟର ପରିଚୟପତ୍ର ଏବଂ ଆଧାର କାର୍ଡ ସଂଯୋଗ ପାଇଁ ମାର୍ଗ ପ୍ରଶସ୍ତ କରିବା ଲାଗି ସଂସଦରେ ନିର୍ବାଚନ ଆଇନ (ସଂଶୋଧନ) ବିଲ ମଧ୍ୟ ଅନୁମୋଦନ ଲାଭ କରିଥିଲା।
ସେହିପରି ଲୋକସଭାରେ ନିୟମ ସଂଖ୍ୟା ୧୯୩ ଅନୁଯାୟୀ ଦୁଇଟି କ୍ଷୁଦ୍ର ଅବଧିର ଆଲୋଚନା ହୋଇଥିଲା। କୋଭିଡ-୧୯ ମହାମାରୀ ଓ ଏହା ସଂକ୍ରାନ୍ତ ବିଭିନ୍ନ ଦିଗ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏଡି ଆଲୋଚନାରେ ସ୍ଥାନ ପାଇଥିଲା।
ରାଜ୍ୟ ସଭାରେ କୋଭିଡ-୧୯ର ଓମିକ୍ରନ ଭୂତାଣୁ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଲୋକସଭାରେ ପାଖାପାଖି ୮୨ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ ରାଜ୍ୟସଭାରେ ପ୍ରାୟ ୪୮ ପ୍ରତିଶତ କାର୍ଯ୍ୟ ସମ୍ପାଦନ ହୋଇଥିଲା।