Odiapua.com

ଗୋଚର ଜମିରେ ବେଆଇନ ଗୃହ ନିର୍ମାଣ ପ୍ରସଙ୍ଗ:କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କ ପ୍ରତିଶୃତି

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅନ୍ତର୍ଗତ ନଦୀଗାଁ ଆରଆଇ ସର୍କଲର ଫଳପୁର ରାଜସ୍ୱ ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ କେତେକ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ସେଠାରେ ଏବେ ପକ୍କାଘର ନିର୍ମାଣ କରୁଥିବା ସ୍ଥାନୀୟ ଅଂଚଳବାସୀ ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଉକ୍ତ ସରକାରୀ ଜମି ଫଳପୁର ଅଂଚଳର ମଧ୍ୟସ୍ଥଳିରେ ଥିବାରୁ ଏହି ଜମିରେ ସାଧାରଣ ଲୋକଙ୍କ ଚଳପ୍ରଚଳ, ଗୋରୁ ଗାଈ ଚରାଭୂମି ସହିତ ଏହା ଅପରପାଶ୍ୱର୍ରେ ଗ୍ରାମ୍ୟ ଜଙ୍ଗଲ ଥିବାରୁ ପରିବେଶ ବେଶ ଆକର୍ଷଣ ରହିଛି । ହେଲେ ପ୍ରାୟ କେତେକ ବ୍ୟକ୍ତି ଏହି ସରକାରୀ ଜମିକୁ ଜବରଦଖଲ କରି ଏବେ ସେଠାରେ ସ୍ଥାୟୀ ପକ୍କାଘର ନିର୍ମାଣ ଆରମ୍ଭ କରିବାରୁ ଲୋକଙ୍କ ବହୁବିଧ ସମସ୍ୟା ସୃଷ୍ଟି କରୁଛି । ତୁରନ୍ତ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଉଚ୍ଛେଦ କରିବାକୁ ଅଂଚଳବାସୀ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ପଦକ୍ଷେପ ଗ୍ରହଣ ନକରେ ତେବେ ଆଜି ଅର୍ଥାତ ୧୫ ତାରିଖ ଦିନ ଅଂଚଳର ଶତାଧିକ ଲୋକ ଏକଜୁଟ ହୋଇ ଧାମନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିବେ ବୋଲି ସେମାନେ ପୂର୍ବରୁ ଚେତାବନୀ ଦେଇଥିଲେ । ଆଜି ପର୍ଯ୍ୟନ୍ତ ପ୍ରଶାସନ ସଂପୃକ୍ତ ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଓ ପୁରୁଷ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ହେଲେ ସେମାନଙ୍କୁ ଦେଖି ତହସିଲଦାର ରାଧାକାନ୍ତ ବାରିକ ସେମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳକୁ ଡକାଇ ଆଲୋଚନା କରିଥିଲେ । ସଂପୃକ୍ତ ଜବରଦଖଲକାରୀଙ୍କ ସଂପର୍କରେ ଜିଲା ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ବାରିକ ପ୍ରତିଶୃତି ଦେବାରୁ ଧାରଣା ନକରି ସେମାନେ ଫେରିଥିଲେ । ଏହି ଆଲୋଚନାରେ ଫଳପୁର ଆଂଚଳିକ ସୁରକ୍ଷା କମିଟିର ସଭାପତି ସଂଜୟ କୁମାର ମହାପାତ୍ର, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ଗୋଲେଖ ଚନ୍ଦ୍ର ମହାନ୍ତି, ବିଶ୍ୱଜିତ ସାହୁ, ମନୋଜ କୁମାର ମହାନ୍ତି, ଦୀପ୍ତିରଂଜନ ମହାପାତ୍ର, ଉପେନ୍ଦ୍ର ମହାପାତ୍ର, ସଂଜିବ କୁମାର ସାହୁ, ସତ୍ୟରଂଜନ ମହାପାତ୍ର, ବିଷ୍ଣୁ ଚରଣ ଜେନା, ବାବୁଲି ଜେନା, ଫକିର ଯେନା, ଝୁମନ ଯେନା, ଶଶୀକାନ୍ତ ମହାପାତ୍ର, ମହେଶ୍ୱର ସାହୁ, ବୀର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।