Odiapua.com

ଗୋଚର ଜମିରେ ଗୃହ ନିର୍ମାଣ ଓ ଅଙ୍ଗନୱାଡ଼ି କେନ୍ଦ୍ର ଅବ୍ୟବସ୍ଥା ବିରୋଧରେ ମହିଳାଙ୍କ ଧାରଣା

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ କିସମର ଜମି ମଧ୍ୟରୁ ଗୋଚର ଓ ଶ୍ମଶାନ କିସମ ସବୁ ସମୟରେ ସ୍ୱତନ୍ତ୍ର । ଏପରି ଜମି ସଂରକ୍ଷିତ । ସରକାରଙ୍କ ନିୟମ ଅନୁସାରେ ଏହାର କିସମ ପରିବର୍ତ୍ତନ କରାଯାଇ ପାରିବ ନାହିଁ । କିନ୍ତୁ ସମସ୍ତ ସରକାରୀ ନିୟମକୁ ଫୁ କରି ଏକ ଗୋଚର କିସମ ଜମିରେ ଚାଲିଛି ମିଶନ ଶକ୍ତି ଗୃହ ନିର୍ମାଣ । ଅନୁରୂପ ସେହି ପଞ୍ଚାୟତର ୧ ନଂ ୱାର୍ଡ଼ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କାଗଜପତ୍ରରେ ଚାଲିଛି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଭଦ୍ରକ ଗୋଷ୍ଠି ଉନ୍ନୟନ ଅଧିକାରୀ(ବିଡିଓ) ନିରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାତର ଉପରୋକ୍ତ ୨ଟି ୱାର୍ଡ଼ର ବହୁ ମହିଳା ଆଜି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସଂପୃକ୍ତ ୱାର୍ଡ଼ର ପ୍ରମିଳା ଯେନା, ବାସନ୍ତୀ ମହାରଣା, ନିରୂପମା ଯେନା, ରେବତୀ ନାୟକ, ଭାନୁମତୀ ଯେନା, ସରସ୍ୱତୀ ଯେନା, ସ୍ୱର୍ଣ୍ଣପ୍ରଭା ଯେନାଙ୍କ ସମେତ ବହୁ ଗ୍ରାମବାସୀ ଧାରଣାରେ ବସି ରହିବା ସହ ଏହି ନିର୍ମାଣାଧିନ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ବାଉଦପୁର ମୌଜା, ୪୦୬ ଖାତାର ଖସଡ଼ା-୮୯୬ରେ ୧୪ ଡିସିମିଲ ଜମି ଗୋଚର କିସମର ।

ଏଠାରେ ଏବେ ଏକ ମିଶନ ଶକ୍ତି ଗୃହ ନିର୍ମାଣ ଚାଲିଛି । ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁ ଚରିବାକୁ ଚାରଣଭୂମୀର ଅଭାବ ଦେଖା ଦେଇଛି । ଫଳରେ ଗୃହ ପାଳିତ ପଶୁ ରଖିଥିବା ମାଲିକମାେନେ ଏବେ ପଶୁଙ୍କ ଚରିବା ପାଇଁ ଦୁଶ୍ଚିନ୍ତାରେ ରହିଛନ୍ତି । ଅତୀତରେ ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇବାକୁ ଆବେଦନ କରିଥିଲେ ହେଁ, ଗୋଚର ଜମି କାହାକୁ ମିଳିବ ନାହିଁ ବୋଲି ତହସିଲଦାର କହୁଥିବାବେଳେ, ଏବେ କେଉଁ ଆଇନ ବଳରେ ଏକ ଗୋଚର ଜମିରେ ଏହା ଚାଲିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅନରୂପ ଉକ୍ତ ପଞ୍ଚାୟତର ୧ନମ୍ବର ୱାର୍ଡ଼ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କାଗଜପତ୍ରରେ ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଛତୁଆ, ଅଣ୍ଡା ଠିକ ଭାବରେ ମିଳୁ ନାହିଁ । ଗାଁ କଲ୍ୟାଣ ପାଣ୍ଠିରୁ ମିଳୁଥିବା ଅର୍ଥରେ କୌଣସି କାର୍ଯ୍ୟ ନହାଇ ମିଥ୍ୟା କାଗଜପତ୍ର ବଳରେ ରେକର୍ଡ଼ ହେଉଛି । ଏହି ଦୁଇ ପ୍ରସଙ୍ଗରେ ସେମାନେ ପୂର୍ବରୁ ବିଡିଓ ତହସିଲଦାରଙ୍କୁ ଅବଗତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନହେଲେ, ୧୫ ଦିନ ପରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଥିଲେ । ସେହି ଅନୁଯାୟୀ ଆଜି ଏହି ଧାରଣା ଅନୁଷ୍ଠିତ ହୋଇଥିଲା । ତେବେ ବିଡିଓ ଏହି ଦୁଇ ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।