ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): : ଗୋଚର ଜମି ଜବରଦଖଲକୁ ନେଇ ସଦର ବ୍ଲକ ଅନ୍ତର୍ଗତ ଖାନନଗର ପଞ୍ଚାୟତରେ ଶୁକ୍ରବାରଦିନ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା। ଜବରଦଖଲକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ମୁହାଁମୁହିଁ ଅବସ୍ଥାକୁ ନେଇ ସେଠାରେ ଅଭାବନୀୟ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା। ଏହି ଗ୍ରାମର ୪୬୯ନଂ ଖାତା ଓ ୫୫୮ ନଂ ଖସଡ଼ାରେ ଥିବା ୧୧ଏକର ୧ ଡିସିମିଲ ଗୋଚର ଜମିରେ ଆବାହମାନ କାଳରୁ ଗୋରୁଗାଈ ଚରିବା ସହିତ ସ୍କୁଲ କଲେଜର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରିଆସୁଥିଲେ। ମାତ୍ର ଗତ କିଛିଦିନ ଧରି ଏହି ଗ୍ରାମର ଶରତ ଚନ୍ଦ୍ର ପୂହାଣ ଓ ଏହି ଗ୍ରାମର ଜ୍ୱାଇଁ ପୁଲିସ ଇନ୍ସ୍ପେକ୍ଟର ଦୀପକ କୁମାର ଜେନା(କରୋନା ବେଳେ ପୁରୀ ଶ୍ରୀମନ୍ଦିର ପ୍ରବେଶ ସହ ବିବାଦୀୟ ହୋଇଥିବା) କିଛି କିଛି ଗୋଚର ଜମିକୁ ଜବରଦଖଲ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପୁଲିସ ଜ୍ୱାଇଁ ଶ୍ରୀ ଜେନାଙ୍କ ପରାମର୍ଶ କ୍ରମେ ଶ୍ୱଶୁର ଘର ଲୋକଙ୍କ ସମେତ ପୁହାଣ ପରିବାର ମନ୍ଦିର ନିର୍ମାଣ କରିବା ଆଳରେ ପ୍ରଥମେ ୫୦ ଡିସିମିଲରୁ ଅଧିକ ଜମି ଦଖଲ କରିବା ଦେଖି ଗ୍ରାମର ଅନ୍ୟମାନେ ମଧ୍ୟ ନିଜ ନିଜ ଜମିପାର୍ଶ୍ୱ ଗୋଚର ଜମି ଦଖଲ ପାଇଁ ଉଦ୍ୟମ ଆରମ୍ଭ କରିଥିବା ଗ୍ରାମବାସୀମାନେ କହିଛନ୍ତି। ଅଦ୍ୟାବଧି ସମ୍ପୃକ୍ତ ୧୧ ଏକର ଜମିରୁ ୩ ଏକରରୁ ଊର୍ଦ୍ଧ୍ୱ ଜାଗା ସମେତ ଗ୍ରାମର ଅନ୍ୟାନ୍ୟ ସରକାରୀ ଜମି ଜବରଦଖଲକାରୀଙ୍କ କବଜାକୁ ଚାଲିଗଲାଣି ବୋଲି ସେମାନେ ପ୍ରକାଶ କରିଛନ୍ତି।ଏବେଠାରୁ ଯଦି ଏହି ଜବରଦଖଲକୁ ରୋକା ନ ଯାଏ ତାହାଲେ ଆଗାମୀ ଦିନରେ ଗୋରୁଗାଈ ଚରିବା, ପିଲାଙ୍କ ଖେଳାଖେଳି ପାଇଁ ଓ ଜନକଲ୍ୟାଣକାରୀ ପ୍ରକଲ୍ପ ନିମନ୍ତେ ଡିସିମିଲଏ ଜମି ବି ରହିବ ନାହିଁ ବୋଲି ଗ୍ରାମବାସୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଜବରଦଖଲ ହୋଇଥିବା ପଞ୍ଚାୟତ ଅଫିସ ସମ୍ମୁଖ ସରକାରୀ ଜମି ପ୍ରଥମେ ଉଚ୍ଛେଦ କରାଯିବା ସହ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଜମିକୁ ଜବରଦଖଲ ମୁକ୍ତ ପାଇଁ ସେମାନେ ଦାବି କରିଥିଲେ। ତେବେ ଶୁକ୍ରବାରଦିନର ଏହି ଉତ୍ତେଜନାମୂଳକ ସ୍ଥିତି ସମ୍ପର୍କରେ ଖବର ପାଇ ସଦର ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରେଭେନ୍ୟୁ ସୁପରଭାଇଜର ଗୋପାଳ ମାଝୀ, ରେଭେନ୍ୟୁ ଇନ୍ସ୍ପେକ୍ଟର ମମତା ପ୍ରିୟଦର୍ଶିର୍ନୀ ସିଂ, ଅମିନ ଅଶୋକ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ଯୁକ୍ତି ଅନୁସାରେ ତଦନ୍ତ କରିଥିଲେ। ତଦନ୍ତ ପରେ ସରକାରୀ ଜମିର ସ୍ଥିତାବସ୍ଥା ସମ୍ପର୍କରେ ସୋମନେ ସଦର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ। ସେହି ଅନୁସାରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଭେନ୍ୟୁ ସୁପରଭାଇଜର ଶ୍ରୀ ସେଠୀ ସୂଚନା ଦେଇଥିଲେ।