ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ବାରବାଟିଆ ମୌଜାର ଥିବା ଗୋଚର ଓ ଶ୍ମଶାନ ଜମିକୁ ରାସ୍ତା କିସମ କରି ଚାଷ ଜମିକୁ ଘରବାଡ଼ି କିସମ ପରିବର୍ତ୍ତନ କରାଯାଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ମୌଜାର ସଂଜୟ କୁମାର ବେହେରା, ମିଥୁନ ଜେନା, ଯୋଗେନ୍ଦ୍ର ଦାସ, ବୀରେନ୍ଦ୍ର ତ୍ରିପାଠୀ, ସୁଦର୍ଶନ ଜେନା, ଶିବ ଜେନା, ମହେଶ୍ୱର ଜେନା, ବଂଶୀଧର ଜେନା, ଚନ୍ଦ୍ରମଣି ପରିଡ଼ା, ବଂଶୀଧର ବେହେରା, ବିଷ୍ଣୁ ଚରଣ ଜେନା, ସୁବାସ ଚନ୍ଦ୍ର ନାୟକ, ନିରଂଜନ ନାୟକ ପ୍ରମୁଖ ବହୁ ଅଞ୍ଚଳବାସୀ କଟକ କେନ୍ଦ୍ରୀୟ ରାଜସ୍ୱ କମିଶନର ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସରଜମିନ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ବାରବାଟିଆ ମୌଜାର ପ୍ଲଟ ନଂ ୮୦୦ ଓ ୮୭୬ ଗୋଚର ଏବଂ ପ୍ଲଟ ନଂ ୮୦୨ ଶ୍ମଶାନ କିସମର ଜମି ସଂଲଗ୍ନ ପ୍ଲଟ ନଂ ୮୦୧ କିସମ ଶାରଦ-୨ ଏ୦.୯୦ଡିସ୍ମିଲ ବୃତ୍ତିକୁ ପ୍ରଶାସନ ସହିତ କେତକ ଦଲାଲଙ୍କର ମଧୁଚନ୍ଦ୍ରିକା ରଖି ଘରବାଡ଼ି କିସମରେ ରେକର୍ଡ଼ ପ୍ରସ୍ତୁତ କରାଇ ବିକ୍ରି କରାଯାଉଛି । ଯାହାଫଳରେ ବାରବାଟିଆ ତଥା ହରସିଂହପୁର ମୌଜାର ଲୋକମାନେ ଶବଦାହ କରିବା ନେଇ ବାଧା ସୃଷ୍ଟି ହୋଇଛି ।
ଏକଥା ପ୍ରଶାସନ ଜାଣିଶୁଣି ମଧ୍ୟ ନୀରବଦ୍ରଷ୍ଟା ସାଜିବା ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷକରି ବାରବାଟିଆ ପ୍ରାଥମିକ ସ୍କୁଲ ଓ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟକୁ ପିଲାମାନେ ବର୍ଷାଦିନେ ଯିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗୋଚର ଉପରେ ଥିବା ପାଣିନାଳକୁ ରାସ୍ତା କରି ଦିଆଯାଇଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଏହି ଗୋଚର ଜମି ଉପରେ ଥିବା ନାଳକୁ ନିଷ୍କାସନ ଖନନ କରିବା ପାଇଁ ତତ୍କାଳୀନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପ୍ରସ୍ତାବ ଦେଇଥିଲେ । ମାତ୍ର ସ୍ଥାନୀୟ ଅଞ୍ଚଳର କେତେକ ଅସାମାଜିକ ଲୋକ ନାଳ ଖନନ ପରିବର୍ତ୍ତେ ମୋରମ ପକାଇ ରାସ୍ତା ତିଆରି କରି ଚାଷଜମିକୁ ବେଆଇନ ଭାବେ ଘରବାଡ଼ି କରି ବିକ୍ରି କରିବାରେ ଲାଗିଛନ୍ତି । ଏପରି ହେଲେ ସ୍ଥାନୀୟ ଅଞ୍ଚଳର ଲୋକମାନେ ବହୁ ସମସ୍ୟାରେ ସମ୍ମୁଖୀନ ହେବେ । ତେବେ ତୁରନ୍ତ ଏହାର ସରଜମିନ ତଦନ୍ତ କରାଯାଇ ପୂର୍ବ ପରି ଥିବା ଶ୍ମଶାନ ଓ ଗୋଚର କିସମ ଜମିକୁ ପରିବର୍ତ୍ତନ କରାଯିବାକୁ ସାଧାରଣରେ ଦାବି କରାଯାଇଛି ।