Odiapua.com

ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

ଯାଜପୁର, ୩୧-୭ : କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସରକାର ଅବଗତ କରାଇଛନ୍ତି। ରାଜ୍ୟ ସାହାଯ୍ୟ ଆୟୁକ୍ତ ବା ଏସ୍ଆର-ସିଙ୍କ ପରାମର୍ଶ ମୁତାବକ ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହରେ ଅଲଗା ରୁମ ଓ ଅଲଗା ଶୌଚାଳୟ ରହିଥିବ ତେବେ ତାଙ୍କୁ ହୋମ ଆଇସୋଲେସନ ବା ଗୃହ ସଂଗରୋଧ ପାଇଁ ଅନୁମତି ମିଳିବ। ତେବେ ତାଙ୍କୁ ଅନୁମତି ମିଳିବା ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଗୃହର ଭିତ୍ତିଭୂମୀ ଅନୁଧ୍ୟାନ କରିବା ଜରୁରୀ ଅଟେ। ଯେଉଁ ଲୋକମାନଙ୍କୁ ଘରେ ରହିବାକୁ ଅନୁମତି ମିଳିବ ସେମାନେ ସଠିକ ଭାବେ ସଙ୍ଗରୋଧ ମାନିବା ଜରୁରୀ। ଏହାକୁ ଅନୁଧ୍ୟାନ କରିବାକୁ ଗ୍ରାମାଂଚଳରେ ଗ୍ରାମପଂଚାୟତ ନୋଡ଼ାଲ ଅଫିସର ଓ ସହରାଂଚଳରେ ୱାର୍ଡ ନୋଡାଲ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସରକାରଙ୍କର ନିୟମାବଳୀ ଆଧାରରେ ପ୍ରୋଟୋକଲର ଯେପରି ଉଲ୍ଲଘଂନ ନହୁଏ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବେ। ସେମାନେ ମଧ୍ୟ ସଙ୍ଗରୋଧରେ ରହିଥିବା ସେହି କରୋନା ପଜିଟିଉ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ରଖିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନେବେ। ଏ କ୍ଷେତ୍ରରେ ସମସ୍ତ ବିଡିଓ, ପୌରନିର୍ବାବୀ ଅଧିକାରୀ, ଅନ୍ୟାନ୍ୟ ଦାୟିତ୍ୱରେଥିବା ଅଧିକାରୀମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଧେଶ ଦେଇଛନ୍ତି। ତତ୍ସହିତ ଏ ସଂପର୍କରେ ଉପଯୁକ୍ତ ଫର୍ମାଟରେ ଦୈନିକ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ପ୍ରୋଟୋକଲର ନିୟମାବଳୀକୁ କଡ଼ାକଡି଼ ଭାବେ ପାଳନ ସହ ସଂପୃକ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଦୈନିକ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ଗୃହ ସଂଗରୋଧରେ ରହୁଥିବା ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ କରୋନା ପଜିଟିଉ ବ୍ୟକ୍ତିମାନେ ନିୟମ ଅନୁସାରେ ସଂଗରୋଧରେ ରହି ଅନ୍ୟମାନଙ୍କୁ ସଂକ୍ରମିତ ନ କରିବା, ଅନ୍ୟମାନଙ୍କ ସହ ନ ମିଶିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଭୟଭିତ ନୁହେଁ ସଚେତନତା ଦ୍ୱାରା ହିଁ କରୋନାକୁ ଆମେ ଜିତିପାରିବା। ତେଣୁ ଜିଲ୍ଲାର ପ୍ରତ୍ୟେକ ଅଧିବାସୀ କରୋନାର ମାର୍ଗଦର୍ଶିକାକୁ ମାନିଚଳିବା ସହ ସଚେତନତା ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି।