Odiapua.com

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜଧାନୀରେ ୪ ବାମପନ୍ଥୀ ଦଳର ବିକ୍ଷୋଭ

ଭୁବନେଶ୍ୱର, ୨୩/୧୦ (ଓଡ଼ିଆ ପୁଅ) ଶିକ୍ଷୟିତ୍ରୀ ମମିତା ମେହେରଙ୍କ ବୀଭତ୍ସ ହତ୍ୟା ଓ ଯୌନ କେଳେଙ୍କାରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରିବା, ନିରପେକ୍ଷ ତଦନ୍ତ ସକାଶେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା, ଦୋଷୀମାନଙ୍କୁ କଠୋର ଦଣ୍ଡଦେବା, ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତି ପୂରଣ ଓ ଜଣଙ୍କୁ ସରକାରୀ ଚାକିରି ଦାବିରେ ଆଜି ୪ଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ), ସିପିଆଇ(ଏମ.ଏଲ.) ଲିବରେସନ ଓ ଫରୱାର୍ଡ ବ୍ଲକ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଆଜି ପୂର୍ବାହ୍ନରେ ୪ ଦଳର ଶତାଧିକ ନେତା ଓ କର୍ମୀ ମାଷ୍ଟରକ୍ୟାଌକ୍ଷଗ୍ଧ;ିନଠାରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ବିକ୍ଷୋଭକାରୀମାନଙ୍କୁ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ଅଭୟ ସାହୁ ଓ ଜୋନ ସମ୍ପାଦକ ସୁର ଜେନା, ସିପିଆଇ(ଏମ୍‌)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ଓ ଜଗନ୍ନାଥ ମିଶ୍ର, ସିପିଆଇ(ଏମ.ଏଲ.) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ ଓ ମହେନ୍ଦ୍ର ପରିଡ଼ା ଏବଂ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉଦବୋଧନ ଦେଇ କହିଲେ– ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅନ୍ତରଙ୍ଗତା, ତାଙ୍କ ମାଲିକାନାଧୀନ କଲେଜ ଓ ସ୍କୁଲ ପ୍ରତି ଅହେତୁକ ଅନୁଦାନ ଏବଂ ମୃତକଙ୍କ ପରିବାର ବର୍ଗଙ୍କ ଉପରେ ପୋଲିସ୍‌ର ଚାପ ପ୍ରଭୃତି ଅଭିଯୋଗ ଦୃଷ୍ଟିରୁ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ ରହିଲେ ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ୪ ଦଳର ନେତାମାନେ ଦାବି କରିବା ସହିତ ବହିଷ୍କାର କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସତର୍କ କରାଇ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ରେଡି, ଅଭିରାମ ବେହେରା, ପ୍ରଦୀପ ନାୟକ, ପ୍ରଭାତ ପାଣିଗ୍ରାହୀ, ଶରତ ବେହେରା ଓ କୈଳାସ ପୁହାଣ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।