Odiapua.com

ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ନେବା ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ପାଇଁ ବିଜେପିର ଦାବୀ

ତାଳଚେର,୧୫/୩(ଓଡ଼ିଆପୁଅ/ଅଜିତ କୁମାର ବେହେରା): ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଅଟେ। ଏଣୁ ଏହି ବର୍ଦ୍ଧିତ ଟିକସ ନିଷ୍ପତିରେ ପୁନଃ ବିଚାର କରିବାର ଆବଶ୍ୟକତା ରହିଛି। ଏନେଇ ବିଜେପି ତାଳଚେର ନଗର ତରଫରୁ ବାରମ୍ବାର ଦାବି କରା ଯାଇଥିଲେ ସୁଧା ତାଳଚେର ପୌର ପରିଷଦ ଏଥିପ୍ରତି କର୍ଣ୍ଣପାତ ନକରି ଜୋର କରି ଟିକସ ଆଦାୟ ପାଇଁ ନୋଟିସ୍ ଦେଇଛି ଯାହାକି ସମ୍ପୁର୍ଣ୍ଣ ଅନ୍ୟାୟ ଅଟେ। ପରିଷଦର ଏହି ନିଷ୍ପତିରେ ସହରବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିବା ସମୟରେ ପୌରପରିଷଦ ସହରର ପ୍ରତ୍ୟେକ ନାଗରିକଙ୍କ ଘରୁ ଅଳିଆ ନେବାସହ ଏହାର ବ୍ୟବହାର ପାଇଁ ବ୍ୟବହାରିକ ଟିକସ ଲାଗୁ କରାଯାଇ ଜୋର କରି କର ଆଦାୟ କରିବାକୁ ନିଷ୍ପତି କରାଯାଇଛି। ତାଳଚେର ସହର ମଧ୍ୟ ଦେଇ ଶହ ଶହ କୋଇଲା ବୋଝେଇ ଟ୍ରକ ଦ୍ୱାରା କୋଇଲା ପରିବହନ ହେଉଥିବାରୁ ଧୂଳିଧୂଆଁରେ ସହରବାସୀଙ୍କ ଜୀବନ ଦୁର୍ବିସହ ହେଉଅଛି।
ଏଣୁ ଅଳିଆକୁ ନେବା ଓ ବ୍ୟବହାର ପାଇଁ ଖର୍ଚ୍ଚ ବାବଦକୁ ଡି.ଏମ.ଏଫ ରୁ ଅର୍ଥ ବ୍ୟବସ୍ଥା କରାଯାଉ। ଏଣୁ ତୁରନ୍ତ ବର୍ଦ୍ଧିତ ଘର ଟିକସ ପୁନଃବିଚାର ସହ ଅଳିଆ ନେବା ନିମିତ ବ୍ୟବହାରିକ କରକୁ ପ୍ରତ୍ୟାହାର କରାଯାଉ ବୋଲି ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ତାଳଚେର ଉପଜିଲ୍ଲପାଳଙ୍କ ନିକଟରେ ଲିଖିତ ଦାବିପତ୍ର ପ୍ରଦାନ କରିବାସହ ତୁରନ୍ତ ପୌରପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭାରତୀୟ ଜନତା ପାର୍ଟି ତାଳଚେର ନଗର ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବୀପତ୍ର ପ୍ରଦାନ ସମୟରେ ବରିଷ୍ଠ ବିଜେପି ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ପୂର୍ବତନ କାଉନ୍‌ସିଲର ପ୍ରଶାନ୍ତ ଦାସ୍‌,ଜିତେନ୍ଦ୍ର ଦାସ, ବାଲ୍ମିକୀ ପ୍ରସାଦ କେଶରୀ,ଜ୍ଞାନେନ୍ଦୀୟ ସେଠୀ,ଆଇନ୍‌ଜୀବୀ ଅଖିଳ ସାମଲ,ଶିବ ନାଏକ,ବସନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।