Odiapua.com

ଗୁଡ଼ିପଦାରେ ବର୍ଜ୍ୟବସ୍ତୁ ଡମ୍ପିଂ ୟାର୍ଡ଼କୁ ନେଇ ଜନ ଅସନ୍ତୋଷ

ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ପୌରପାଳିକା ପକ୍ଷରୁ ବାଲେଶ୍ୱର ସହରର ଗୁଡ଼ିପଦା ଜନବହୁଳ ଅଞ୍ଚଳରେ ଆଦିବାସୀଙ୍କ ପୂଜାସ୍ଥଳୀ ଜମିକୁ ବର୍ଜ୍ୟବସ୍ତୁ ଡମ୍ପିଂ ୟାର୍ଡ଼ ଭାବେ ବ୍ୟବହାର କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବସ୍ତି ବାସିନ୍ଦା ସଂଘ ନେତୃତ୍ୱରେ ଗୁଡ଼ିପଦା ଅଞ୍ଚଳର ବହୁ ଆଦିବାସୀ ମହିଳା ଓ ପୁରୁଷ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇଥିଲେ। ଶ୍ରମିକ ନେତା ଜୟନ୍ତ ଦାସ, ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ, ଭିଟାମାଟି ସୁରକ୍ଷା ମଞ୍ଚର ରାଜ୍ୟ ସଭାପତି ଅରୁଣ ଜେନା, କ୍ଷେତ ମଜଦୁର ସଂଘର କର୍ମକର୍ତ୍ତା ଯତୀନ ପାତ୍ର, ବନ୍ଦନା ବିଶ୍ୱାସ ପ୍ରମୁଖ ଏଥିରେ ଯୋଗଦେଇ ପୌରପାଳିକାର ଅଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତିକୁ ଦୃଢ଼ ବିରୋଧ କରିଥିଲେ। ଗୁଡ଼ିପଦା ଭଳି ଜନବହୁଳ ଅଞ୍ଚଳର ପ୍ରାଥିମିକ ବିଦ୍ୟାଳୟ ଓ ପାନୀୟଜଳ ପମ୍ପହାଉସ ନିକଟରେ ଥିବା ଆଦିବାସୀଙ୍କ ପୂଜାସ୍ଥଳୀ ଜମିରେ ଏହି ବର୍ଜ୍ୟବସ୍ତୁ ନିର୍ମାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। କଠିନ ବର୍ଜ୍ୟବସ୍ତୁ ସର୍ବଦା ସହରଠାରୁ ତଥା ଜନବସତିଠାରୁ ଦୂର ଡମ୍ପିଂୟାର୍ଡ଼ରେ ପକାଇବାର ନିୟମ ରହିଛି। ଅନ୍ୟପକ୍ଷରେ ଗୋଟିଏ ଜାତିର କୂଳଦେବାତାଙ୍କୁ ପୂଜା କରାଯାଉଥିବା ସ୍ଥାନର ଅଧା ଜମିରେ ଏହି ଡମ୍ପିଂୟାର୍ଡ଼ କରିବା କେତେ ଯୁକ୍ତିଯୁକ୍ତ ବୋଲି ଶ୍ରମିକନେତାମାନେ କହିଛନ୍ତି। ପ୍ରାଥମିକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଆବେଗକୁ ଦୃଷ୍ଟିରେ ରଖି ତୁରନ୍ତ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ଗୁଡ଼ିପଦା ଅଞ୍ଚଳବାସୀଙ୍କ ସମେତ ବସ୍ତିବାସିନ୍ଦାମାନେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।