Odiapua.com

ଗୁଲନଗର ନୟନଯୋରି ଜବର ଦଖଲ : ଜଳବନ୍ଦି ପରିସ୍ଥିତି ନେଇ ଉତ୍ତେଜନା

କେନ୍ଦ୍ରାପଡ଼ା, ୩୦ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ସଦର ମହକୁମାରେ ସରକାରୀ ଜମିରେ ଥିବା ଜଳ ନିଷ୍କାସନ ପଥ ନୟନଯୋରୀ ଓ କେନାଲ ଗୁଡିକୁ ଜବର ଦଖଲ କରାଯିବାରେ ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି। କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ଗ୍ରାମରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଚାଷ ଜମି ପଡିଆ ରହୁଥିବା ବେଳେ ଗାଁ ରାସ୍ତାରେ ଆଣଣ୍ଠୁଏ ପାଣି ଜମି ରହିବା ହେତୁ ଜବର ଦଖଲ ବିରୋଧରେ ଉତ୍ତେଜନା ଲାଗି ରହିଛି। ଗୁଲନଗର ଚଟିପୋଲ ନିକଟସ୍ଥ ଦଣ୍ଡାମୁଣ୍ଡ ଛକ ଅପରପାର୍ଶ୍ୱ ଗୁଲନଗର ଗ୍ରାମକୁ ପ୍ରବେଶ ପଥରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି। ଗ୍ରାମ ଭିତରକୁ ଲୋକେ ଯାଆସ କରିପାରୁ ନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲ ଯାଇ ପାରୁନଥିବା ଅଭିଯୋଗ ହୋଇଛି। ଗାଁ ରାସ୍ତା କଡ ଜଳ ସେଚନ ବିଭାଗ ନୟନଯୋରୀକୁ ସେହି ଗ୍ରାମର କେତେକ ବ୍ୟକ୍ତି ପୋତି ଦେଇ ତାହା ଉପରେ ଦୋକାନ ଓ ବସବାସ କରୁଥିବା ହେତୁ ଜଳ ନିଷ୍କାସନ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ, ତହସିଲ ଏବଂ ଜଳ ସେଚନ ବିଭାଗକୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଥାନାରେ ମାମଲା ରୁଜୁ ହୋଇଛି। ଏହି ସମସ୍ୟା ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ମଧ୍ୟ ଲାଗି ରହିଛି। ଅବରୋଧକାରୀଙ୍କୁ ତୁରନ୍ତ ଉଚ୍ଛେଦ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।