Odiapua.com

ଗୁପ୍ତ ବୁଝାମଣା ନୁହଁ, ଖୋଲା ଆଲୋଚନାରେ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଗଣମାଧ୍ୟମକୁ ଉତ୍ତର
– ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଓଡିଶା ଏହା ଦ୍ୱାରା ଲାଭ ପାଇବ
– ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ସଦସ୍ୟ ହେବା, ଓଡିଶା ଓ ଦଳର ବିକାଶରେ ସହାୟକ ହେବ
– ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ

ଭୁବନେଶ୍ୱର, ୨୩ ଜୁନ (ଓଡ଼ିଆ ପୁଅ) – ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ ବିଜେଡି ଓ ବିଜେପି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ, ଏହା ଖୋଲା ଆଲୋଚନା ମାଧ୍ୟମରେ ହୋଇଛି। ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଖୋଲାଖୋଲି ସମର୍ଥନ ଦେଇଛନ୍ତି ବୋଲି ଗଣମାଧ୍ୟମର ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ। ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ବୁଝାମଣା ହୋଇଛି। ବୁଝାମଣା ପଛରେ ବିକାଶ ହିଁ ମୁଖ୍ୟ। ଏହା ଦ୍ୱାରା ଓଡିଶା ଲାଭ ପାଇବ। ତେଣୁ ସମାଲୋଚନାକୁ ତା’ ବାଟରେ ଯିବାକୁ ଦିଆଯାଉ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଶ୍ୱିନୀ ବୈଷ୍ଣବ ବିଜେପି ସଦସ୍ୟ। ଶ୍ରୀ ବୈଷ୍ଣବ ବିଜେପି ତରଫରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ଅଶ୍ୱିନୀ ବୈଷ୍ଣବ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡିଶାରେ ତାଙ୍କ କାର୍ଯ୍ୟଦକ୍ଷତା ଦେଖାଇଥିଲେ। ସ୍ୱର୍ଗତ ଅଟଳ ହିହାରୀ ବାଜପେୟୀଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିଲେ। ଆଜିର ଦିନରେ ତାଙ୍କର ଯେଉଁ ଦୃଷ୍ଟି ଓ ଭୂମିକା ଅଛି ତାହା ଓଡିଶା ଏବଂ ବିଜେପିକୁ ସହାୟକ ହେବ।

ଓଡିଶାର ଜନସାଧାରଣ ବିଜେପିକୁ ବିରୋଧୀ ଦଳର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।