Odiapua.com

ଗୁଣି ଗାରେଡି ଅଭିଯୋଗରେ ୩ଯୁବକ ଜେଲ୍ ଗଲେ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୯-ସାରା ଦେଶରେ ଅନ୍ଧ ବିଶ୍ୱାସ ଓ ଗୁଣି ଗାରେଡି ଭରପୁର ହୋଇ ରହିଛି । ଗୁଣି ଗାରେଡିକୁ ନେଇ ହତ୍ୟା, ମାଡପିଟ୍ ଓ କଙ୍ଗାରୁ କୋର୍ଟ ଗାଁ ଗାଁ ରେ ଚାଲିଛି । ଅନ୍ଧ ବିଶ୍ୱାସକୁ ହଟାଇବା ପାଇଁ ସରକାର ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଅନ୍ଧ ବିଶ୍ୱାସ ହଟୁନାହିଁ । ଗୁଣି ଗାରେଡି କରୁଥିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଲେଖନପୁର ଗ୍ରାମରେ । ଲେଖନପୁର ଗ୍ରାମର କୃଷ୍ଣ ସାହୁଙ୍କ ପୁଅ ପ୍ରଭାତ ସାହୁଙ୍କ ସ୍ତ୍ରୀ ଘର ଛାଡି ପଳାଇ ଯାଇଥିଲେ । ତେଣୁ ତାଙ୍କ ପରିବାରକୁ କିଏ ଗୁଣି କରିଛି ବୋଲି ବିଶ୍ୱାସ କରି କୃଷ୍ଣ ସାହୁ ଜଣେ ଗୁଣିଆକୁ ଡାକି ନିଜ ଘରେ ଏକ ବାଉଁଶ ନିର୍ମିତ କୁଲା ପୂଜା କରି କୁଲାରେ କଇଁଚି ଫୋଡି ଜଣେ ପଡୋଶୀ ଘରର ଛୋଟ ପିଲାକୁ ଡାକି ତାକୁ କୁଲା ଧରାଇ ଗୁଣି ଗାରେଡି ପୂଜା କରାଉଥିଲେ । ଏହିଭଳି ଘଟିଥିଲା ଏକମାସ ତଳେ । ପଡୋଶୀ ଘରର ଯେଉଁ ଛୋଟ ପିଲାଟି କୁଲା ଧରାଇ ଗୁଣି ପୂଜା କରୁଥିଲେ ତାଙ୍କ ପରିବାର ଜାଣିବା ପରେ ଲେଖନପୁର ଗ୍ରାମରେ ଗ୍ରାମ ସଭା ଡକାଯାଇଥିଲା ।

ଗ୍ରାମବାସୀମାନେ ଛୋଟ ପିଲାକୁ କୁଲା ଧରାଇ ଗୁଣିରେ ସମ୍ପୃକ୍ତ କରାଇଥିବାରୁ ତାହାର ସୁରକ୍ଷା ପାଇଁ ଗ୍ରାମବାସୀମାନେ କୃଷ୍ଣ ସାହୁଙ୍କୁ ଏକଲକ୍ଷ ଟଙ୍କା ଜୋରିମାନା କରିଥିଲେ । ଗ୍ରାମବାସୀଙ୍କ କହବା ଅନୁଯାୟୀ ୧୫ବର୍ଷ ପର୍ଯ୍ୟନ୍ତ ଏହି ଏକଲକ୍ଷ ଟଙ୍କା ଗ୍ରାମ କୋଠରେ ଜମା ରହିବ । ୧୫ ବର୍ଷ ମଧ୍ୟରେ ସେହି ଛୋଟ ପିଲାଟିର କିଛି ଅସୁବିଧା ନ ହେଲେ ଜୋରିମାନା ଟଙ୍କା ଦେଇଥିବା କୃଷ୍ଣ ସାହୁ ଟଙ୍କା ଫେରସ୍ତ ନେବେ । କୃଷ୍ଣ ସାହୁ ଜୋରିମାନା ଟଙ୍କା ନ ଦେଇ ପୋଲିସ୍ ର ଆଶ୍ରୟ ନେଇଥିଲେ । ପୋଲିସ୍ ଗୁଣି ଗାରେଡି କରୁଥିବା ଅଭିଯୋଗରେ ଲେଖନପୁର ଗ୍ରାମର କୃଷ୍ଣ ସାହୁ, ତାଙ୍କ ପୁଅ ପ୍ରଭାତ ସାହୁ ଓ ବାଉଁଶ ନିର୍ମିତ କୁଲା ଦ୍ୱାରା ଗୁଣି କରୁଥିବା ବଜ୍ରକୋଟ ପଂଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର ଗଣେଶ୍ୱର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ସମସ୍ତ ଅଭିଯୁକ୍ତ ମାନଙ୍କର ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଅପରପକ୍ଷରେ ଗ୍ରାମବାସୀମାନେ କଙ୍ଗାରୁ କୋର୍ଟ କରି ଏକଲକ୍ଷ ଟଙ୍କା ଜୋରିମାନା କରିଥିବାରୁ ଗ୍ରାମର କିଛି ଲୋକଙ୍କ ନାମରେ ମଧ୍ୟ ମାମଲା ହୋଇଥିବା ପୋଲିସ୍ ସୁତ୍ରରୁ ପ୍ରକାଶ ।