Odiapua.com

ଗୁଣିଗାରେଡ଼ି ସନ୍ଦେହରେ ଆଦିବାସୀ ଯୁବକକୁ ହତ୍ୟାକରି ପୋଡ଼ିଦେଲେ ଗ୍ରାମବାସୀ, ପୁଲିସର ତଦନ୍ତ ଆରମ୍ଭ ଥାନାରେ ୫ ଅଟକ

ମାଲକାନଗିରି, ୯।୧୦ (ଓଡ଼ିଆ ପୁଅ) ମାଲକାନାଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ତାକୁ ଘରୁ ଡାକିନେଇ ନିର୍ମମ ଭାବେ ହତ୍ୟା କରିଛନ୍ତି। ସେଠାରେ ହତ୍ୟା କରିବା ପରେ ଗ୍ରାମ ଠାରୁ ୪ ଶହ ମିଟର ଦୂର ଏକ ମଶାଣିରେ ନେଇ ପୋଡି ଦେଇଥିଲେ। ଗତକାଲି ରାତ୍ରରେ ପରିବାରର ଲୋକ ଭୟଭୀତ ଅବସ୍ଥାରେ ପଡିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଆଜି ସକାଳେ ପାଡ଼ିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଡା ପାଉଁଶ ଓ ହାଡ଼ ଜବତ କରିଛନ୍ତି। ସେହି ଗ୍ରାମ ର ୫ଜଣ ଲୋକଙ୍କୁ ସନ୍ଦେହ ରେ ଥାନା ରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି। ଏ ନେଇ ପଡିଆ ଥାନାରେ କେସ୍ ନଂ ୪୩ /୨୦ ଧାରା ୩୦୨/୨୦୧/୩୪ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ପ୍ରାଥମିକ ତଦନ୍ତରେ ଗ୍ରାମର କିଛି ଲୋକ ମୃତ ବାଗା ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିବା ସହ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଯୋଜନାବଦ୍ଧ ଭାବେ କିଛି ଲୋକ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।