Odiapua.com

ଗୁଡୁପୋଖରି ରେ ଗୋଷ୍ଠୀ ସଂଘର୍ଷ ଘଟଣା ୭ ଗିରଫ, ପ୍ରଶାସନ ପକ୍ଷରୁ ଶାନ୍ତିକମିଟି ବୈଠକ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଗୁଡୁ ପୋଖରି ନିକଟସ୍ତ ଅରୁଣ ବଜାରରେ ଗୁରୁବାର ସକାଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଧୁଷୁରୀ ଥାନା ପୁଲିସ ଆଜି ସୁଦ୍ଧା ମୋଟ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଶନିବାର ରାତି ୧୦ ଟା ଯାଏ ଉକ୍ତ ଅଂଚଳ ରେ ୧୬୩ଧାରା ବଳବତର ରହିବ। ସମ୍ବେଦନଶୀଳ ଜାଗା ମାନଙ୍କରେ ପୁଲିସ ଫୋର୍ସ ମୃତୟନ ଅଛନ୍ତି। କେବଳ ଔଷଧ ଦୋକାନକୁ ବାଦ ଦେଲେ ବଜାରର ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବା ଫଳରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଂଚଳରେ କିପରି ଶାନ୍ତି ଫେରିବ ସେ ନେଇ ଦୁଇ ସମ୍ପ୍ରଦାୟର ମୁରବି ଏବଂ ଲୋକପ୍ରତିନିଧି ମାନଙ୍କୁ ନେଇ ଶୁକ୍ରବାର ଅପରାହ୍ନରେ ଧାମନଗର ପଂଚାୟତ ସମିତି ସଭାଗୃହ ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଆଲୋଚନା କରାଯାଇଛି। ତହସିଲଦାର ଦୀପକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଉପଜିଲାପାଳ ମନୋଜ ପାତ୍ର,ବିଡିଓ ବନବିହାରୀ ଦିନ୍ଦା,ଜିଲାପରିଷଡ଼ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ,ସାଂସଦ ପ୍ରତିନିଧି ମନୋଜ ମଲ୍ଲିକ,ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପ୍ତି ରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇ ଦୋଷୀ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପୂର୍ବରୁ ଥିବା ଭାଇଚାର କିପରି ଫେରି ଆସିବ ସେ ସମ୍ପର୍କରେ ବିଭିନ୍ନ ଆଲୋଚନା କରି ମତାମତ ଲୋଡିଥିଲେ।ଧୁଷୁରୀ ଥାନା ଓଆଇସି ଶାନ୍ତନୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଆଜି ସଂଧ୍ୟା ଧାମନଗର ଥାନା ର ବନ୍ଧଟିଆ ଠାରେ ସେକ ବାବୁ କୁ ମାଡ ମାରିବା ନେଇ ଥାନା ରେ ଅଭିଯୋଗ ପରେ ଥାନା ଅଧିକାରୀ ଫନିନ୍ଦ୍ର ଭୂଷଣ ନାୟକ ଘଟଣାର ତଦନ୍ତ କରୁଛନ୍ତି। ତେବେ ଛୋଟ ଛୋଟ ଘଟଣା କୁ ନେଇ ଧାମନଗର ଓ ଧୁଷୁରି ଅଂଚଳ ରେ କେତେକ ସ୍ଥାନ ରେ କିଛି ଯୁବକ ଏପରି ବିଶ୍ରୁଙ୍ଖଳା ସୃଷ୍ଟି କରୁଥିବାରୁ ପୋଲିସ ପକ୍ଷରୁ ପେଟ୍ରୋଲିଂ କରିବା ପାଇ ବିଭିନ୍ନ ମହଲ ରୁ ଦାବି ହୋଇଛି।