Odiapua.com

ଗୁଜରାଟ ରାଜକୋଟରୁ ପହଂଚିବ ଶ୍ରମିକ ଟ୍ରେନ, ଭବାନୀପାଟଣା ଅଂଚଳରେ କର୍ଫ୍ୟୁ ଜାରୀ

କଳାହାଣ୍ଡି- ତା.୧୯.୦୫.୨୦୨୦ ( ଓଡିଆପୁଅ )ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି । ଗୁଜରାଟରୁ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି. ରେ ଭବାନୀପାଟଣା ପହଂଚିବା ପାଇଁ ସମୟ ନିର୍ଘଂଟ ହୋଇଥିବା ହେତୁ ସମ୍ଭାବ୍ୟ ଜନଗହଳି ଆଶଙ୍କାରେ ଭବାନୀପାଟଣା ଅଂଚଳକୁ ୧୪୪ ଧାରା ଅନୁସାରେ କର୍ଫୁ୍ୟ ଜାରି କରାଯାଇଥିବା ଜଣାପଡିଛି । ଭବାନୀପାଟଣା ଟାଉନ ଥାନା ଅଂଚଳ ଏବଂ ସଦରଥାନା ଅଂଚଳର ରେଲୱେ ଷ୍ଟେସନ ପାଖାପାଖି ୫ଟି ଅଂଚଳକୁ ମଙ୍ଗଳବାର ଦିନ ୧୨ ଟା ଠାରୁ ତା.୨୦.୦୫.୨୦ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ କୁ ଭବାନୀପାଟଣା ଉପଖଣ୍ଡ ମାଜିଷ୍ଟ୍ରେଟ ଅର୍ଡର ନ.୨୬୨୯ ତା.୧୮.୦୫.୨୦୨୦ ମାଧ୍ୟମରେ ୧୪୪ ଧାରା ଅନୁସାରେ କର୍ଫୁ୍ୟ ଜାରି କରିଛନ୍ତି । ପ୍ରବାସୀମାନେ ଭବାନୀପାଟଣା ପହଂଚିବା ଏବଂ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ପର୍ଯ୍ୟନ୍ତକୁ ସେମାନଙ୍କ ସଂସ୍ପର୍ଶରେ ଯେପରି କେହି ନଆସନ୍ତି ତଥା କୌଣସି ପ୍ରକାର ସଂକ୍ରମଣକୁ ରୋକିବା ପାଇଁ ଦୃଷ୍ଟି ଦିଆଯାଇ କର୍ଫୁ୍ୟ ଜାରି କରାଯାଇଥିବା ପ୍ରକାଶ ।
କଳାହାଣ୍ଡି ଜିଲ୍ଲା ସମେତ ଓଡିଶାର ୧୦ଟି ଜିଲ୍ଲାର ୧୬୨୪ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ସୋମବାର ଗୋଟାଏ ସମୟରେ ଗୁଜରାଟ ର ରାଜକୋଟ ଷ୍ଟେସନରୁ ଭବାନୀପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି ।
ପ୍ରାପ୍ତ ତଥ୍ୟ ଅନୁସାରେ ୨୪ ଟି ବଗି ଥିବା ଏହି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ କଳାହାଣ୍ଡି ଜିଲ୍ଲାର ୧୦୭୭, ଅନୁଗୁଳ ଜିଲ୍ଲାର ୫୯,ଭଦ୍ରକର ୪୭,ବୌଦ୍ଧର ୨, ଢେଙ୍କାନାଳର ୯, ଗଂଜାମର ୯୯, ଯାଜପୁରର ୯୫, କେନ୍ଦ୍ରାପଡାର ୪୯, କଟକର ୮୩, ମୟୁରଭଂଜର ୧୩ ଜଣ ଙ୍କୁ ମିଶାଇ ମୋଟ ୧୬୨୪ ଜଣ ପ୍ରବାସୀ ଓଡିଆ ଶ୍ରମିକ ଆସୁଥିବା ଜଣାପଡିଛି । ପ୍ରବାସୀ ମାନେ ଭବାନୀପାଟଣା ଷ୍ଟେସନ ପହଂଚିବା ପରେ ସମସ୍ତଙ୍କ ପଂଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅନେକ କାଉଂଟର କରାଯଇଥିବା ଏବଂ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସମେତ ଏଡିଏମ, ନୋଡାଲ ଅଫିସର ତଥା ପିଡି ଡିଆରଡିଏ, ଉପଜିଲ୍ଲାପାଳ, ସିଡିଏମଓ, ଆରଟିଓ ପ୍ରମୂଖ ରେଳଷ୍ଟେସନ ପରିଦର୍ଶନ କରି ସମସ୍ତ ପ୍ରସ୍ତୃତି ତଦାରଖ କରିଥିବା ପ୍ରକାଶ ।