Odiapua.com

ଗୁଜରାଟ କୋଭିଡ ହସପିଟାଲ ଦୁର୍ଘଟଣା ପରେ- ବାଲେଶ୍ୱରର କୋଭିଡ କେୟାର ସେଣ୍ଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ

ବାଲେଶ୍ୱର, ୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ଗୁଜୁରାଟର ଅହମବାଦଠାରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଏକାଧିକ କରୋନା ଆକ୍ରାନ୍ତଙ୍କ ଜୀବନ ଗଲାପରେ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ଅଗ୍ନିିଶମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶାନୁସାରେ ଏବେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାର କୋଭିଡ ହସ୍ପିଟାଲ ଏବଂ କେୟାର ସେଣ୍ଟରଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି। ଅନୁରୁପ ଭାବେ ବାଲେଶ୍ୱର ଜିଲ୍ଲା ଅଗ୍ନିଶମ ବିଭାଗର ଏକ ସ୍ୱତନ୍ତ୍ର ଟିମ ଆଜି କୋଭିଡ ହସ୍ପିଟାଲ ଏବଂ ସମସ୍ତ କେୟାର ସେଣ୍ଟର ମାନଙ୍କରେ ଅଗ୍ନିନିର୍ବାପକ ବ୍ୟବସ୍ଥାକୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର କୁରୁଡ଼ାସ୍ଥିତ ଜ୍ୟୋତିହସପିଟାଲ ପରିସର କୋଭିଡ ହସପିଟାଲ ସମେତ ବାମପଦାସ୍ଥିତ ସିପେଟ୍ କୋଭିଡ୍ କେୟାର ସେଣ୍ଟର, ଫକୀର ମୋହନ କଲେଜ୍ କୋଭିଡ୍ କେୟାର ସେଣ୍ଟର, ରେମୁଣା ଆଦର୍ଶ ବିଦ୍ୟାଳୟ କୋଭିଡ କେୟାର ସେଣ୍ଟର ପ୍ରଭୃତିରେ ଏହି ଯାଞ୍ଚ କରାଯାଇଛି। ସବୁଠାରୁ ବଡ଼କଥା ହେଲା କୌଣସି ସ୍ଥାନରେ ଉଚିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି। ସରକାରୀ ଗାଇଡ୍ ଲାଇନ ଅନୁସରଣ ପୂର୍ବକ ସମସ୍ତ କୋଭିଡ୍ ହସପିଟାଲ ଏବଂ କେୟାର ସେଣ୍ଟର ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଥିବା କଥା। ତେବେ ତୁରନ୍ତ ଏହି ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ କୋଭିଡ୍ ହସପିଟାଲ ସ କେୟାର ସେଣ୍ଟର ପରିଚାଳନାଧିକାରୀଙ୍କୁ ଅଗ୍ନିଶମ ବିଭାଗ ଟିମ୍ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଥିବା ନେଇ ଜିଲ୍ଳା ସହକାରୀ ଅଗ୍ନିଶମ ଅଧିକାରୀ ପରେନ୍ ସୋରେନ୍ ସୂଚନା ଦେଇଛନ୍ତି।