Odiapua.com

ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ସ୍କେଟିଂ ଏକାଡେମୀର କ୍ରୀଡାବିତ୍‌ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ବିଶ୍ବ ପ୍ରସିଦ୍ଧ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀର ୧୯ ଜଣ କ୍ରୀଡାବିତ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ କଳା ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ସେମାନଙ୍କୁ ରୂପା ତାରକସୀର ଏକ ଉପହାର ଦେଇଥିଲେ।। ସୂଚନାଯୋଗ୍ୟ ଯେ ୨୦୧୮ ନଭେମ୍ବର ୧୦ ତାରିଖରେ କଟକରେ ଅନୁଷ୍ଠିତ ରୋଲର ସ୍କେଟିଂ ଇଭେଣ୍ଟରେ ଶିବଗଙ୍ଗା ରୋଲର ସ୍କେଟିଂ କ୍ଲବ ପକ୍ଷରୁ ଏକ ସମୟରେ ୫୪୫ ଜଣ କ୍ରୀଡାବିତ୍ ନିରବଚ୍ଛିନ୍ନ ଭାବେ ୪୮ ଘଣ୍ଟା ସ୍କେଟିଂ କରି ବିଶ୍ବ ରେକର୍ଡ କରିଥିଲେ। ଏହି ଇଭେଣ୍ଟରେ ବ୍ରହ୍ମପୁର ସ୍ପା ଏକାଡେମୀର ଏହି ୧୯ ଜଣ କ୍ରୀଡାବିତ ଅଂଶଗ୍ରହଣ କରି ସଫଳ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ ଓ କ୍ରୀଡା ନିର୍ଦ୍ଦେଶକ ଶ୍ରୀ ଭିନିଲ କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।