Odiapua.com

ଗାୟତ୍ରୀ ମହାସଂଘର ପୁନର୍ଗଠନ ଓ ବକେୟା ଦରମା ପ୍ରଦାନ ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାସଂଘର ପୁନର୍ଗଠନ ଓ ବକେୟା ଦରମା ପ୍ରଦାନକୁ ନେଇ ଯଶିପୁର ଗ୍ରାମପଞ୍ଚାୟତର ଗାୟତ୍ରୀ ମହାସଂଘର ସଦସ୍ୟମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଚାନ୍ଦବାଲି ବ୍ଲକ୍ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମହାସଂଘର ସଦସ୍ୟାମାନେ କାମ କରିଆସୁଛନ୍ତି । ଚାନ୍ଦବାଲି ବ୍ଲକ୍‌ର ବିଡିଓ ଜାଣି ଅଜଣା ଭଳି ଦୀର୍ଘଦିନ ଧରି ମହାସଂଘର ପୁନର୍ଗଠନ କରୁନାହାଁନ୍ତି । ଏବଂ ମହାସଂଘର ପୁନର୍ଗଠନ କାର୍ଯ୍ୟକୁ ରାଜନୈତିକ ଚାପରେ ବନ୍ଦ ରଖିବା ସହ ୧୫ ମାସର ଦରମା ଦେଉନାହାଁନ୍ତି । ୪ ଗୋଟି ଆକାଉଣ୍ଟଙ୍କୁ ବିଡିଓ ମହୋଦୟ ଫ୍ରିଜ୍ କରି ରଖିଛନ୍ତି । ଏହି ଘଟଣା ସଂପର୍କରେ ବିଡିଓ, ଉପଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ ସଦସ୍ୟାମାନେ ୧୫ ମାସ ଧରି ଦରମା ପାଉନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟଦାୟକ ହୋଇପଡିଛି । ଏହି ଅବିଚାର ସଂପର୍କରେ ତଦନ୍ତ କରି ବକେୟା ଦରମା ପ୍ରଦାନ କରାଯିବା ସହ ମହାସଂଘର ପୁନର୍ଗଠନ ପାଇଁ ଗାୟତ୍ରୀ ମହାସଂଘର ସଭାନେତ୍ରୀ ସୁନ୍ଦରୀ ମହାଳିକ ଓ ସଂପାଦିକା ରେଖା ଲେଙ୍କାଙ୍କ ସହ ବହୁ ସଦସ୍ୟାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।