Odiapua.com

ଗାଡ଼ି ପାର୍କିଂକୁ ନେଇ ଗୁଳିମାଡ଼ ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ଗାଡ଼ିପାର୍କିଂକୁ ନେଇ ସହରର ଗଡ଼ଗଡ଼ିଆସ୍ଥିତ ସଂଜୟ ହାଇଟ୍ସ ଆପାଣ୍ଟର୍ମେଣ୍ଟରେ ଆଜି ସଂଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନାନୁସାରେ ଆପାର୍ଟମେଣ୍ଟର ୫୦୬ ନଂ ଫ୍ଲାଟରେ ଆନନ୍ଦ ସିଂହ(୪୦) ଓ ୫୧୧ ନଂର ଫ୍ଲାଟରେ ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା ରହି ଆସୁଥିଲେ। ତେବେ ପ୍ରଫେସର ବେହେରାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଆନନ୍ଦ ସିଂହ ଗାଡ଼ି ପାର୍କିଂ କରିବାକୁ ନେଇ ସକାଳେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ଆପାର୍ଟମେଣ୍ଟ ସୋସାଇଟିର ହସ୍ତକ୍ଷେପ ପରେ ସଙ୍ଗେ ସଙ୍ଗେ ଗଣ୍ଡଗୋଳର ସମାଧାନ ମଧ୍ୟ ହୋଇଥିଲା। ସଂଧ୍ୟାରେ ଆନନ୍ଦ ପୁଣି ସେହି ସ୍ଥାନରେ ଗାଡ଼ି ରଖିବା ଦେଖି ପ୍ରଫେସର ବେହେରାଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ପ୍ରଫେସର ବେହେରା ପାଖରେ ରଖିଥିବା ବନ୍ଧୁକରୁ ଆନନ୍ଦ ସିଂହଙ୍କ ଉପରକୁ ଗୁଳି ଚଳାଇଥିଲେ। ଫାୟାରିଂ ହୋଇଥିବା ଗୋଟିଏ ରାଉଣ୍ଡ ଗୁଳି ଆନନ୍ଦଙ୍କ ପେଟରେ ବାଜିବା ସହିତ ସେ ସେଇଠି ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଆନନ୍ଦଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ପ୍ରଫେସର ବେହେରାଙ୍କୁ ପଚରାଉଚୁରା କରୁଛି। ଅନ୍ୟପକ୍ଷରେ ଆନନ୍ଦ ସିଂଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି।