ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ନିଆରା ଢ଼ଙ୍ଗରେ ପାଳନ କରାଯାଇଛି । ତିହିଡ଼ିସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ଶାନ୍ତି ଆଶ୍ରମ ରେ ଅବସ୍ଥାନ କରୁଥିବା କୁନିକୁନି ଭଉଣୀମାନେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ । ଏହି ଅବସରରେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ବରିଷ୍ଠ ସଭ୍ୟ ପ୍ରଦୀପ୍ତ କୁମାର କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶାନ୍ତି ଆଶ୍ରମର ସମ୍ପାଦକ ଅଧିବକ୍ତା ଅପୁର୍ବ ଦାସ ଓ ଅଧୀକ୍ଷକ ସରିତା ସାମଲ ଯୋଗ ଦେଇଥିଲେ । ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀ ମଧ୍ୟରେ ଏକ ପବିତ୍ର ସମ୍ପର୍କର ପ୍ରତୀକ ପର୍ବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶାନ୍ତି ଆଶ୍ରମ ଓ ଗାନ୍ଧୀ ବାଳାଶ୍ରମ ଅନ୍ତେବାସୀ ପିଲାଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା ପରିବେଷଣ କରାଯାଇଥିଲା । ସଭାଟିକୁ ବାଳାଶ୍ରମର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ ।