Odiapua.com

ଗାନ୍ଧୀ ବାଳାଶ୍ରମରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପକ୍ଷରୁ ଆଜି ସତ୍ୟ ଓ ଅଂହିସାର ପୂଜାରୀ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସ ଅବସରରେ ବାଳାଶ୍ରମର ଅନ୍ତେବାସୀମାନେ ପ୍ରତ୍ୟୁଷରୁ ଗାନ୍ଧୀ ପଡ଼ିଆ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୃର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ବାଳାଶ୍ରମର ପିଲାମାନେ ଆକର୍ଷଣୀୟ ବ୍ୟାଣ୍ଡବାଦନ ସହ ଗାନ୍ଧୀ ପଡ଼ିଆରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ପହଂଚି ଥିଲେ । ଏହି ଶୋଭାଯାତ୍ରାରେ ପଂଚାୟତରାଜ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଜିଲ୍ଲାପାଳ, ପ୍ରକଳ୍ପ ନିଦ୍ଦେର୍ଶକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଆଦି ଯୋଗଦେଇଥିଲେ । ସଂସ୍କୃତି ଭବନ ପରିସରରେ ଆୟୋଜିତ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପଠାରେ ଗାନ୍ଧୀ ବିଚାର ମଂଚ ଦ୍ୱାରା ଆୟୋଜିତ ଜୟନ୍ତୀ ସଭାରେ ଯୋଗ ଦେଇଥିଲେ । ସଂନ୍ଧ୍ୟାରେ ବାଳାଶ୍ରମ ପରିସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଗାନ୍ଧୀ ବିଚାର ଓ ଦର୍ଶନ ସମ୍ବନ୍ଧରେ ସମ୍ପାଦକ ଅଶୋକ କୁମାର ଦାସଙ୍କ ସଂଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ସନ୍ଥିଆସ୍ଥିତ ମଦନମୋହନ ମନ୍ଦିରର ମହନ୍ତ ଆଶିଷ୍ ଦେବ ଗୋସ୍ୱାମୀ, ବରିଷ୍ଠ ଅଧିବକ୍ତା ମନୋରଂଜନ ମହାନ୍ତି, ବିଶିଷ୍ଟ କବି କୈଳାସ ଚନ୍ଦ୍ର ଦାସ, ଜଗତସିଂହପୁର ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟ ହୃଷିକେଶ ମହାନ୍ତି, ଗାନ୍ଧୀ ବାଳାଶ୍ରମ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀଧର ସେଠୀ ଆଦି ଯୋଗଦେଇ ଉକ୍ତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀ ସତ୍ୟ ଓ ଅଂହିସାର ପ୍ରତୀକ ଥିଲେ । ଜାତିର ପିତାଙ୍କ ଯୋଗଦାନ ଭାରତୀୟ ମୁକ୍ତି ସଂଗ୍ରାମକୁ ନୂତନ ମୋଡ଼ ଦେଇ ତାଙ୍କୁ ବିଶ୍ୱବାସୀଙ୍କ ନିକଟରେ ମହାମାନବର ମାନ୍ୟତା ଦେଇଥିଲେ । ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀ ଜଣେ ନିଆରା ଜନନାୟକ ଭାବରେ ସାରା ବିଶ୍ୱରେ ସୂପରିଚିତ। ଏହି ଦୁଉ ଯୁଗଜନ୍ମା ବରପୂତ୍ର ନିଜ ସ୍ୱାର୍ଥକୁ ଜଳାଂଜଳି ଦେଇ ମାନବ ଜାତିର ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । ଏଠାରେ ଅବସ୍ଥାନ କରୁଥିବା ଅନ୍ତେବାସୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଆଶିଷ୍ ଦେବ ଗୋସ୍ୱାମୀ ଓ ଗୁରୁ ରାମନାରାୟଣ ପଣ୍ଡାଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ବାଳାଶ୍ରମର ସମସ୍ତ କର୍ମକର୍ତା ସୂଚାରୁରୂପେ ପରିଚାଳନା କରିଥିଲେ । ଶେଷରେ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।