Odiapua.com

ଗାନ୍ଧୀ ପଡିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ଭୂମି ପୂଜାକୁ ବିରୋଧ – ଗାନ୍ଧୀଜୀଙ୍କ ସ୍ମୃତିର ପ୍ରତୀକ ଗାନ୍ଧୀପଡିଆ ଗାନ୍ଧୀ ସ୍ମୃତି ସ୍ମାରକୀ ହୋଇ ରହୁ

ଭଦ୍ରକ, ୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୁଧବାରଦିନ ଭଦ୍ରକ ନୂଆବଜାର ଠାରେ ଥିବା ଗାନ୍ଧୀପଡିଆରେ ଶ୍ରୀରାମଙ୍କ ଏକ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜା ହୋଇଛି। ଯାହାକୁ ଆଜି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖା ବିରୋଧ କରିବା ସହ ପ୍ରତିବାଦ କରିଛି। ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ସମୟରେ ଭଦ୍ରକ ଗସ୍ତ କାଳରେ ଉଦ୍‌‌ବୋଧନର ସ୍ମୃତିକ୍ଷେତ୍ର ଭାବେ ଗାନ୍ଧୀପଡିଆ ରହି ଆସିଛି। ଏହାର ସ୍ମାରକୀ ଭାବେ ଦୀର୍ଘ ବର୍ଷ ଧରି ଏକ ଗାନ୍ଧୀ ମୂର୍ତି ସ୍ଥାପନ କରାଯାଇଛି। ଏହି ଗାନ୍ଧୀପଡିଆକୁ ଅକ୍ଷୁଣ୍ଣ ରଖାଯାଇ ଏହାକୁ ଗାନ୍ଧୀ ସ୍ମୃତି ସ୍ମାରକୀ ଭାବେ ସାଇତି ରଖିବା ସହିତ ଏଠାରେ ଭଦ୍ରକର ବରପୁତ୍ର ତଥା ଗାନ୍ଧୀଜୀଙ୍କ ଅନୁଧ୍ୟାୟୀ ରହି ଆସିଥିବା ଡଃ ହରେକୃଷ୍ଣ ମହତାବ, ଜାତୀୟ କବି ବାଞ୍ଛାନିଧି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସୁଭଦ୍ରା ମହତାବ, ମହମ୍ମଦ ହନିଫ ଏବଂ ସ୍ୱାଧୀନତା ସଂଗ୍ରାମ ପାଇଁ ଜୀବନ ଦେଇଥିବା ସହିଦମାନଙ୍କ ସ୍ମୃତି ସବୁକୁ ସାଇତି ରଖିବା ଉଦ୍ଦେଶ୍ୟରେ ଏହି ପଡ଼ିଆରେ ଅନ୍ୟ କିଛି ନ କରି ପଡିଆକୁ ଉନ୍ନତ କରାଯିବା ସହ ସେଠାରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ କରି ସେଠାରେ ବରପୁତ୍ରଙ୍କ ପ୍ରତିମୂର୍ତି ସ୍ଥାପନ କରାଯିବାକୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କର୍ମକର୍ତାମାନେ ଦାବି ଉପସ୍ଥାପନ କରିଛନ୍ତି। ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୫ରେ ଭଦ୍ରକରେ ପହଂଚି ରେଳ ଷ୍ଟେସନଠାରୁ ଚାଲି ଚାଲି ଏକ ଶୋଭାଯାତ୍ରାରେ ପବିତ୍ର ଗାନ୍ଧୀପଡିଆରେ ପହଂଚିଥିଲେ। ସେଠାରେ ସେ ହଜାର ହଜାର ଜନତାଙ୍କ ଗହଣରେ ବ୍ରିଟିଶ୍ ସରକାରଙ୍କୁ ସିଧା ସଳଖ ନିନ୍ଦା କରି ଉଦବୋଧନ ଦେଇ ‘ଇସ୍ ସଲତନତ୍ କୋ ସୈତାନିୟତ ଆଗୟେ’ ବୋଲି କହିଥିଲେ, ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେବଳ ସେତିକି ନୁହେଁ, ମହାତ୍ମା ଗାନ୍ଧୀ ଭଦ୍ରକକୁ ଏତେ ଭଲ ପାଉଥିଲେ ଯେ, ସେ ଏଠାକୁ ବାରମ୍ବାର ଗସ୍ତ କରିଥିଲେ। ଏହି ପଡ଼ିଆକୁ ଗାନ୍ଧୀଜୀଙ୍କ ସ୍ମୃତି ଭାବେ ସାଇତି ରଖିବା ନେଇ ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅନୁଦାନରେ ପଡିଆର ପ୍ରବେଶ ପଥରେ ଗାନ୍ଧୀଜୀଙ୍କ ସ୍ମୃତିରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ ହୋଇ ସାରିଛି। ଏହାର ଉନ୍ନତି ପାଇଁ ବର୍ତମାନର ସାଂସଦ, ବିଧାୟକ ମଧ୍ୟ ଅନୁଦାନ ଦେବା ସହ ଏହାର ପୁନରୁଦ୍ଧାର କରାଯିବାରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏପରି ସ୍ଥଳେ ଗତକାଲି ଏହି ପଡ଼ଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ ଓ ସଂଗଠନ ଭୂମି ପୂଜନ କରିଥିବା ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ଜଣା ପଡିବା ପରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ ଭଦ୍ରକ ଶାଖା ଏହାକୁ ବିରୋଧ କରିଛି। ଭଦ୍ରକର ବହୁ ସ୍ଥାନ ରହିଥିବା ବେଳେ ଗାନ୍ଧୀ ପଡିଆକୁ ଛାଡି ଅନ୍ୟ ଯେକୌଣସି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣକୁ ସ୍ୱାଗତ କରାଯାଇପାରେ। ମାତ୍ର ପବିତ୍ର ତଥା ଐତିହାସିକ ଗାନ୍ଧୀପଡିଆକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ନକରିବା, ଏଠାରେ ଗାନ୍ଧୀ ଶୌଧ ବ୍ୟତୀତ ଅନ୍ୟ କିଛି ନ କରିବାକୁ ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢୀ, ସମ୍ପାଦକ ଆଡ୍‌ଭୋକେଟ ତୁଷାରକାନ୍ତି ମହାନ୍ତି, ବୈଲୋଚନ ବେହୁରିଆ, ଅଜୟ ନାୟକ, ସୁଧାକର ରାଉତ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ପ୍ରଫେସର ଝରଣା ପଟ୍ଟନାୟକ, ଲଲାଟେନ୍ଦୁ ମହାନ୍ତି, ଆଡ୍‌ଭୋକେଟ ପବନ ଶର୍ମା ପ୍ରମୁଖ ଦାବି କରିଛନ୍ତି।