Odiapua.com

ଗାନ୍ଧୀଙ୍କ ଭଦ୍ରକକୁ ପ୍ରଥମ ଆଗମନର ଶତ ବାର୍ଷିକୀ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଓଡ଼ିଶାକୁ ପ୍ରଥମ ଆଗମନର ଶହେ ବର୍ଷ ପୁର୍ତ୍ତି ପରିପ୍ରେକ୍ଷୀରେ ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନରେ ଭଦ୍ରକକୁ ପ୍ରଥମ ମାର୍ଚ୍ଚ ୨୫ ତାରିଖରେ ଆଗମନ କରିଥିବାରୁ ଭଦ୍ରକ ଜିଲ୍ଳାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ୨୦୨୨ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ । ସେଥି ନିମନ୍ତେ ଭଦ୍ରକ ଜିଲ୍ଲା ପ୍ରଶାସନ କୋବିଡ଼ କଟକଣା ମଧ୍ୟରେ ଏହି ଉତ୍ସବକୁ ପାଳନ କରିବାକୁ ଯାଉଛି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗରର ମାନ୍ୟବର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକର ମାନ୍ୟବର ବିଧାୟକ ସଂଜିବ କୁମାର ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ମନସ୍ୱିନୀ ରାଉତ ପ୍ରମୁଖ ଯୋଗ ଦେଇ ଆଳୋଚନାରେ ଭାଗ ନେଇଥିଲେ ।

ଏହି ଅବସରରେ ୨୫ ତାରିଖ ଭୋର ୪ଟା ୩୦ରେ ସମଗ୍ର ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର କରାଯିବ । ପରେ ସକାଳ ୮ଟା ସମୟରେ ଗାନ୍ଧୀ ପଡ଼ିଆ, ମହତାବ କୋଠୀ, ଜିଲ୍ଲା ସ୍କୁଲ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯିବ । ୮ଟା ୩୦ରେ ଚରମ୍ପା ରେଳ ଷ୍ଟେସନ ଠାରୁ ସ୍ୱଳ୍ପ ଗାନ୍ଧୀପ୍ରେମୀଙ୍କୁ ନେଇ କୋବିଡ଼ କଟକଣାରେ ଏକ ଶୋଭାଯାତ୍ରା ବାହାରି ଗାନ୍ଧୀ ପଡ଼ିଆରେ ପହଞ୍ଚିବ । ସେଠାରେ ଶୋଭାଯାତ୍ରୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ଜିଲ୍ଲା ସଂସ୍କୃତି ଭବନରେ ଗାନ୍ଧୀଙ୍କ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟନ କରାଯିବ । ଏହି କାର୍ଯ୍ୟକ୍ରମ ପରେ ଟାଉନ ହଲରେ ଗାନ୍ଧୀ ଚର୍ଚ୍ଚା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ର୍ରମ ଅନୁଷ୍ଠିତ ହେବ । ଏହି ସଭା କାର୍ଯ୍ୟ କୋବିଡ଼ କଟକଣାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ପାଳନ କରାଯିବ । ଏହି ଅବସରରେ ପୌରପାଳିକା ପକ୍ଷରୁ ସହର ମଧ୍ୟରେ ଦିବସ ବ୍ୟାପୀ ରାମଧୂନ ଓ ଗାନ୍ଧୀ ଭଜନ ପରିବେଷଣ କରାଯିବ ।