ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ଅବକ୍ଷୟମୁଖୀ ସମାଜ ପାଇଁ ଗାନ୍ଧି ଦର୍ଶନର ଆବଶ୍ୟକତା ରହିଛି । ତତ୍ସହିତ ଗ୍ରାମାଞ୍ଚଳରୁ ଅସ୍ପୃଶ୍ୟତା ଦୂର ସହିତ ନିଶା ନିବାରଣ ପାଇଁ ଗାନ୍ଧିଜୀ ଯେଉଁ ଆହ୍ୱାନ ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ମିଳିତ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ଥିଲାବେଳେ ଶାସ୍ତ୍ରୀଜୀଙ୍କ ଭଳି ଆଦର୍ଶନ ଜୀବନଚର୍ଯ୍ୟା ସମସ୍ତେ ଗ୍ରହଣ କଲେ ଅବକ୍ଷୟମୁଖୀ ସମାଜକୁ ନିଶ୍ଚୟ ରକ୍ଷା କରାଯାଇପାରିବ ବୋଲି ଜିଲାର ଅଗ୍ରଣୀ ସାମାଜିକ ସଂଗଠନ ଶୁଭମ୍ ପକ୍ଷରୁ ଆୟୋଜିତ ଜାତିର ପିତା ମହାତ୍ମା ଗାନ୍ଧି ଓ ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏଥି ଉପଲକ୍ଷେ ତିହିଡି ବ୍ଲକ୍ ଅଧୀନସ୍ଥ ବୋଡକ ଠାରେ ସଂଗଠନର ସଂପାଦକ ନରେନ୍ଦ୍ର କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ତଥା ସଂସ୍କୃତି ସଂଗଠକ ଅଜୟ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଅମୃତ ଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଉଦ୍ୟୋଗୀ ରାମଚନ୍ଦ୍ର ବେହେରା, ପୂର୍ବତନ ତିହିଡି ବ୍ଲକ୍ ଅଧ୍ୟକ୍ଷା ତଥା ଜିଲା ପରିଷଦ ସଦସ୍ୟା ବିଦ୍ୟୁତ୍ଲତା ନାୟକ, ପୂର୍ବତନ ସରପଞ୍ଚ ଗୋଲକ ଚନ୍ଦ୍ର ସାମଲ, ବୋଡକ ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁମୋହନ ଜେନା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଦର୍ଶନ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ବୋଡକ ଅଂଚଳର କଳାକାର ମାନଙ୍କ ଦ୍ୱାରା ଗାନ୍ଧି ଭଜନ ଓ ରାମଧୁନ ପରିବେଷଣ କରାଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଂଗଠନର ସଂଯୋଜକ ଆନନ୍ଦ ଚନ୍ଦ୍ର ପଲାଇ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଶେଷରେ ସଂଗଠନର ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ହୃଷିକେଶ ବାରିକ, ଦେବେନ୍ଦ୍ର ଭଞ୍ଜ, ସଂଗ୍ରାମ ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଦେଶର ସ୍ୱାଧୀନତା ଆନ୍ଦୋଳନ ଓ ଗାନ୍ଧିଜୀଙ୍କ ସଂପର୍କରେ ଏକ ସୁନ୍ଦର ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିବା ଲକ୍ଷ୍ମୀଧର ମାଝୀଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଥିଲେ ସମ୍ମାନିତ ଅତିଥି ରାମଚନ୍ଦ୍ର ବେହେରା । ଏହି ଜୟନ୍ତୀ ସମାରୋହରେ ପଂଚାୟତର ବିଭିନ୍ନ ସ୍ଥାନରୁ ମହିଳା, ଯୁବକ ଓ ଚାଷୀମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।