Odiapua.com

ଗାନ୍ଧିଗିରୀରେ ଆୟୁଷ ଡାକ୍ତର, ସରକାରୀ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ, ୧୪ ବର୍ଷ ଧରି ଠିକାରେ ଚାଲିଛି ସ୍ୱାସ୍ଥ୍ୟସେବା

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ସାଧାରଣ ଲୋକଙ୍କ ହାତ ପାହାନ୍ତାରେ ଏଥିପାଇଁ ବହୁ ସ୍ଥାନରେ ଖୋଲାଯାଇଛି ସରକାରୀ ଡାକ୍ତରଖାନା । କିନ୍ତୁ ଏହି ଡାକ୍ତରଖାନା ମାନଙ୍କରେ କେଉଁଠି ଡାକ୍ତର ନାହାଁନ୍ତି ତ କେଉଁଠି ଡାକ୍ତର ଥାଇ ମଧ୍ୟ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହି ଡ୍ୟୁଟିକୁ ଆସୁନାହାଁନ୍ତି । ସେଥିରେ ପୁଣି ଦୀର୍ଘ ୧୪ ବର୍ଷ ଧରି ସାଧାରଣ ଲୋକଙ୍କୁ ରୋଗୀସେବା ଯୋଗାଇ ଦେଇ ଆସୁଥିବା ମହାମାରୀ କୋଭିଡ୍‌-୧୯ ର ଆଗଧାଡିର କରୋନା ଯୋଦ୍ଧା ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନିଜର ପ୍ରାପ୍ୟ ପାଇଁ । ଗତ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ସମଗ୍ର ରାଜ୍ୟର ଆୟୁଷ ଡାକ୍ତରମାନଙ୍କର ଏହି ଅସହଯୋଗ ଆନ୍ଦୋଳନ ଫଳରେ ଏହି ଜିଲାର ବାସୁଦେବପୁରର ମୋଟ ୮ଟି ସରକାରୀ ଡାକ୍ତରଖାନାରେ ଏବେ ରୋଗୀସେବା ଏକ ପ୍ରକାର ଠପ୍ ହୋଇପଡିଛି । ଏଥିମଧ୍ୟରେ ରହିଛି । ବାସୁଦେବପୁରର ମୁଖ୍ୟ ଗୋଷ୍ଠୀ ଡାକ୍ତରଖାନା ସମେତ ବେତଡା, ଇରମ, ଏଡତାଳ, ବଇଁଚା, ନାୟକାଣୀଡିହି, ବାଲିମେଦ, ବାରାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଠିକା କର୍ମଚାରୀ ଭାବେ ଦୀର୍ଘ ୧୪ ବର୍ଷ ଧରି ନିଜର ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ଏହି ଆୟୁଷ ଡାକ୍ତରମାନେ । ଅନ୍ୟ ସରକାରୀ ବିଭାଗରେ କାର୍ଯ୍ୟ କରିଆସୁଥିବା ଠିକା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ୬ ବର୍ଷ ମଧ୍ୟରେ ସ୍ଥାୟୀ କର୍ମଚାରୀ କରୁଥିବାବେଳେ ଆୟୁଷ ଡାକ୍ତରମାନଙ୍କୁ ଠିକା ଭାବରେ ରଖିବା ସେମାନଙ୍କ ପାଇଁ ଏକ ପ୍ରକାର ଅସହ୍ୟ ହୋଇପଡିଲାଣି । ଏହି ଡାକ୍ତରମାନେ କୋଭିଡ୍ ଯୋଦ୍ଧା ଭାବେ ସମସ୍ତ ପ୍ରକାର ପ୍ରତ୍ୟେକ୍ଷ ରୋଗୀସେବା ସେଣ୍ଟରର ଦାୟିତ୍ୱ ତୁଲାଇ ରାଜ୍ୟରେ ବେଶ୍ ସଫଳ ହୋଇଥିବାବେଳେ ସବୁଠି ସମାନ କାର୍ଯ୍ୟକୁ ସମାନ ଦରମା ନୀତି ଏମାନଙ୍କ ପାଇଁ ଲାଗୁ ହୋଇନାହିଁ ।

ବରଂ ରାଜ୍ୟର ସ୍ୱାସ୍ଥ୍ୟସେବାରେ ଏକ ପ୍ରମୁଖ ଅଙ୍ଗ ପାଲଟିଥିବା ଏହି ଡାକ୍ତରମାନେ ମାସିକ ମାତ୍ର ୮ ହଜାର ଟଙ୍କାରେ ୨୦୦୭ ମସିହାରୁ ଚୁକ୍ତିଭୂତ୍ତିକ ନିଯୁକ୍ତି ପାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସ୍ଥାୟୀ ହୋଇପାରିନାହାଁନ୍ତି । ଏବଂ ଚଳିତ ୨୦୨୧ ମସିହାରେ ରାଜ୍ୟ ସରକାର ସେମାନଙ୍କ ମାସିକ ଦରମା ୩୯ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ମଧ୍ୟ ଅନ୍ୟ କୌଣସି ଦାବି ଶୁଣିନାହାଁନ୍ତି । ଏଣୁ ଗାନ୍ଧି ଜୟନ୍ତୀରୁ ଆଜିପର୍ଯ୍ୟନ୍ତ ସମସ୍ତ କୋଭିଡ୍ ସଂପର୍କିତ କାର୍ଯ୍ୟ ଆଲୋପ୍ୟାଥି ବର୍ହିବିଭାଗ ଓ ଅନ୍ତଃବିଭାଗ ରୋଗୀ ଚିକିତ୍ସା, ତତ୍‌କାଳ ରୋଗୀ ସେବା, ପ୍ରସବକକ୍ଷ ଦାୟିତ୍ୱ, ଇ ସଂଜିବନୀ, ଟେଲି ଔଷଧ, ମୋ ପୋଟାର୍ଲ ପରିଚାଳନା ଆଦିରୁ ନିଜକୁ ଦୂରେଇ ରଖିଛନ୍ତି । ଫଳରେ ଏହି ଡାକ୍ତରମାନଙ୍କ ଉପରେ ନିର୍ଭରଶୀଳ ସରକାରୀ ରୋଗୀସେବା ବସ୍ତୁତ୍ୱ ଅଚଳ ହେବାରେ ଲାଗିଛି । ବିଶେଷକରି ଗ୍ରାମାଞ୍ଚଳର ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅଯଥାରେ ଅଧିକ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ସରକାରୀ ବୈମାତୃକ ମନୋଭାବର ସମ୍ମୁଖୀନ ହୋଇଥିବା ଏହି ଆୟୁଷ ଡାକ୍ତରମାନଙ୍କୁ ଆଗାମୀ ଦିନରେ ଉଚିତ୍ ନ୍ୟାୟ ଓ ସୁବିଧା ନମିଳେ, ତେବେ ରାଜ୍ୟରେ ଥିବା ଡାକ୍ତରୀ ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟସେବା ନିଶ୍ଚିତ ବିପର୍ଯ୍ୟସ୍ତ ହୋଇପଡିବ । ଗାନ୍ଧି ଦର୍ଶନ ଓ ଗାନ୍ଧି ବିଚାରଧାରାକୁ ଆପଣେଇଥିବା ଏହି ଡାକ୍ତରମାନଙ୍କ ଅସହଯୋଗ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଉପରେ କେତେ ଯେ ପ୍ରଭାବ ପକାଇବ, ତାହା ଭିନ୍ନ କଥା । କିନ୍ତୁ ଜନସାଧାରଣଙ୍କ ସରକାରୀ ସ୍ୱାସ୍ଥ୍ୟସେବା ନିଶ୍ଚିତ ଭାବେ ପ୍ରଭାବିତ ହୋଇଛି । ଏଣୁ ସେମାନଙ୍କର ଦାବି କେବେ ପୂରଣ ହେଉଛି ଓ ସେମାନେ ନ୍ୟାୟ ପାଉଛନ୍ତି କି ନା, ତାହା ସମୟ କହିବ ।