Odiapua.com

ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଜଣେ ୧୧ ବର୍ଷ ବାଳକର ମୃତ୍ୟୁ

ମାଲକାନଗିରି, ୨୭ା୭(ଓଡିଆ ପୁଅ ) ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଆଜି ଜଣେ ୧୧ ବର୍ଷର ବାଳକର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନାସ୍ଥ ଭୁବନପାଲି ପଞ୍ଚାୟତ କମାରଗୁଡା ଗ୍ରାମରେ। କମାରଗୁଡା ଗ୍ରାମର ଇଶ୍ୱର କାରାମୀ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଖଟିଖିଆ, ତାଙ୍କର ଦୁଇପୁଅ ସୁରଜ କାରାମୀ (୧୧) ଓ ରୋହିତ କାରାମୀ(୮), ସୁରଜ କମାରଗୁଡା ଆଶ୍ରମ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପାଠପଢୁଥିଲା। କରୋନା ପାଇଁ ସ୍କୁଲ ଛୁଟିଥିବାରୁ ସେ ଘରେ ଥିଲା। ଆଜି ଅପରାହ୍ନରେ ଦୁଇଭାଇ ଗ୍ରାମମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ସୁରଜ ଗାଧୋଉଥିବା ବେଳେ ସାନଭାଇ ରୋହିତ ପୋଖରୀ କୂଳରେ ଠିଆ ହୋଇଥିଲା। ବଡଭାଇ ପୋଖରୀରେ ପହଁରୁ ଥିବା ସମୟରେ ହଟାତ ସେ ପାଣିରେ ବୁଡି ଯାଇଥିଲା। ଅନେକ ସମୟ ବିତା ଯାଇଥିଲେ ବି ସେ ପାଣିରୁ ନ ଉଠିବାରୁ ସାନଭାଇ ରୋହିତ ଘରକୁ ଯାଇ ଭାଇ ପାଣିରେ ବୁଡିଗଲା ବୋଲି ବାପାଙ୍କୁ କହିଥିଲା। ଈଶ୍ୱର କାରାମୀ ଗ୍ରାମବାସୀ ମାନଙ୍କ ସହାୟତାରେ ପୁଅକୁ ପୋଖରୀ ରେ ଖୋଜି ପାଣିରୁ ଉଦ୍ଧାର କରିଥିଲେ। ପୋଖରୀରୁ ଉପରକୁ ସୁରଜକୁ ଆଣିବା ବେଳକୁ ତାର ପ୍ରାଣବାୟୁ ଉଡିଯାଇଥିଲା। ଆଜି ସନ୍ଧ୍ୟାରେ ପରିବାର ଲୋକେ ଏମଭି୭୯ଥାନାରେ ଏ ସଂପର୍କରେ ଜଣାଇବା ପରେ ଏମଭି୭୯ ଥାନା ପୁଲିସ ଓ ଆରଆଇ ଘଟଣା ସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ କାଲିମେଳା ସ୍ୱସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ମୃତ ଗରିବ ପରିବାରକୁ ସରକାରି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।ଏହି ଦୁଃଖଦ ଖବର ଜାଣିବା ପରେ ସମଗ୍ର ଭୁବନପାଲି ପଞ୍ଚାୟତ କମାର ଗୁଡା ଗ୍ରାମରେ ଶୋକର ଛାୟା ଖେଲିଯାଇଛି।