Odiapua.com

ଗାଧୋଇବାକୁ ଯାଇଁ ଘରକୁ ନଫେରି ଫେରିଲା ଭାଇ ଭଉଣୀଙ୍କ ଶବ, ବୈତରଣୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଧୋଇବା ପାଇଁ ନଦୀକୁ ଯାଇଥିଲେ ହେଲେ ଘରକୁ ନଫେରି ଆସିଲା ସେମାନଙ୍କ ଶବ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଧାମନଗର ବ୍ଲକ ସୋହଡା ପଂଚାୟତ ଗୌରାଙ୍ଗପୁର ଗ୍ରାମରେ । ଗ୍ରାମର ମନ୍ମଥ ଦାଶଙ୍କ ଝିଅ ବର୍ଷା ପ୍ରିୟଦର୍ଶନୀ (୧୦) ଓ ପୁଅ ଜ୍ଞାନରଂଜନ (୫) ଆଜି ନିକଟସ୍ଥ ଜୟନ୍ତିରାସ୍ଥିତ ବୈତରଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଦିନ ପ୍ରାୟ ୧୨ଟା ସମୟରେ ଉଭୟ ଭାଇ ଓ ଭଉଣୀ ବୈତରଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ବିଳମ୍ବ ପର୍ଯ୍ୟନ୍ତ ଘରକୁ ସେମାନେ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ତେବେ ଦିନ ପ୍ରାୟ ୩ଟା ସମୟରେ ବୈତରଣୀ ନଦୀରେ ମୃତ ଅବସ୍ଥାରେ ଭାସୁଥିବା ପରିବାର ଲୋକ ଓ ସ୍ଥାନୀୟ ଲୋକ ଦେଖିଥିଲେ । ପରେ ଧାମନଗର ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳେ ପହଂଚି ନଦୀରୁ ଉଭୟଙ୍କ ଶବ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଥାଉକି ମନ୍ମଥଙ୍କ ମାତ୍ର ଏହି ଦୁଇ ସନ୍ତାନ ଥିବା ବେଳେ ଆଜି ଉଭୟଙ୍କ ଅକାଳ ବିୟୋଗ ଯୋଗୁଁ ଉଭୟ ଦମ୍ପତି ଦୁଃଖରେ ଭାଙ୍ଗି ପଡିଛନ୍ତି । ସନ୍ତାନ ଦ୍ୱୟଙ୍କୁ ହରାଇ ଉଭୟ ବାପା-ମାଆଙ୍କ କରୁଣ ଚିତ୍କାର ଉପସ୍ଥିତ ଶହଶହ ଲୋକଙ୍କୁ ସ୍ତବ୍ଧ କରି ଦେଇଛି । ପ୍ରକାଶ ଯେ ସେଠାରେ ଏକ ପକ୍କା ପୋଲ ନିର୍ମାଣ ଅଧାପନ୍ତରିଆ ହୋଇ ଦୀର୍ଘ ବର୍ଷ ହେବ ପଡିରହିଛି । ନଦୀରୁ ସ୍ଥାନୀୟ ଲୋକ ଓ ପୋଲ ନିର୍ମାଣ କରୁଥିବା ସଂପୃକ୍ତ ଠିକାଦାର ବେଆଇନ ଭାବେ ବାଲି ଉଠାଉଥିବାରୁ ନଦୀର ଠାଏଠାଏ ଖାଲ ସୃଷ୍ଟି ହୋଇଛି । ଏହି ଖାଲମାନଙ୍କରେ ପାଣି ଜମାଟ ହୋଇଥିଲା । ଏହି ଭାଇ ଭଉଣୀ ଏହି ଖାଲ ପାଣିରେ ପଡି ମୃତ୍ୟୁବରଣ କରିଥିବା ସ୍ଥାନୀୟ ଅଂଚଳର ସମାଜସେବୀ ତଥା ପୂର୍ବତନ ସମିତିସଭ୍ୟ ସନ୍ତୋଷ ଦାସ ଅଧିକାରୀ ପ୍ରକାଶ କରିଛନ୍ତି । ପୁଲିସ ଶବ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସନ୍ତାନ ହରାଇଥିବା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସରପଂଚ ପ୍ରମୋଦ କୁମାର ସୂତାର ଦାବି କରିଛନ୍ତି ।