Odiapua.com

ଗାଜିପୁର ପାଟଣା ନୋଡାଲ ୟୁପି ସ୍କୁଲରେ ଶିକ୍ଷାଦାନରେ ସହକାରୀ ଶିକ୍ଷକଙ୍କ ଅବହେଳା ଅଭିଯୋଗ,ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ବ୍ଲକ ଦୋଳସାହି ପଂଚାୟତ ଅଧୀନ ଗାଜିପୁର ପାଟଣା ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ବିଜୟ କୁମାର ସାହୁ ଶିକ୍ଷାଦାନରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ସହକାରୀ ଶିକ୍ଷକ ଶ୍ରୀ ସାହୁଙ୍କୁ ବଦଳି ଦାବିରେ ସୋମବାର ପୂର୍ବାହ୍ନରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ। ଖବର ପାଇ ସିଆରସିସି ସସ୍ମିତା ମଂଜରୀ ନାୟକ ଘଟଣାସ୍ଥଳରେ ପହଂଚି ଅଭିଭାବକମାନଙ୍କୁ ବୁଝାସୁଝା କରିବା ସହିତ ତୁରନ୍ତ ଶ୍ରୀ ସାହୁଙ୍କ ବଦଳି ଦିଗରେ ପଦକ୍ଷେ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍କୁଲ ତାଲା ଖୋଲି ଶିକ୍ଷାଦାନ ସ୍ୱଭାବିକ ହୋଇଥିଲା। ପ୍ରକାଶ ଯେ, ଗାଜିପୁର ପାଟଣା ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ବିଜୟ କୁମାର ସାହୁ ସ୍କୁଲରେ ପିଲାମାନଙ୍କୁ ପାଠପଢ଼ାରେ ଅବହେଳା କରିବା ସହିତ ଗ୍ରାମକୁ ଯାଇ ଅଭିଭାବକମାନଙ୍କୁ ଏଲଆଇସି କରିବା ପାଇଁ କହୁଛନ୍ତି। ଏଥିସହିତ ଗ୍ରାମକୁ ଯାଇ ରାଜନୈତିକ ବିଭେଦୀକରଣ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତପାର୍ଥକ୍ୟ କଳହର ସୂତ୍ରପାତ କରାଇ ବିଶୃଙ୍ଖଳ ପରିବେଶ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନେ କିଛିମାସ ତଳେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇ ଶ୍ରୀ ସାହୁଙ୍କ ବଦଳି ଦାବି କରିଥିଲେ। ମାତ୍ର ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆ ନଯିବାରୁ ବିଜେଶ କୁମାର ସାହୁ, ରବିନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ରମାକାନ୍ତ ଗିରି, ଅନୀତା ସାହୁ, ବନ୍ଦିତା ପାଣିଗ୍ରାହୀ, ସାବିତ୍ରୀ ଗିରି, ମଧୁସ୍ମିତା ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଜୟନ୍ତୀ ଗିରି, ରଶ୍ମିତା ମାହାନା, ଜୟନ୍ତୀ ମାଝୀ ପ୍ରମୁଖ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସହକାରୀ ଶିକ୍ଷକ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅଭିଯୋଗର କୌଣସି ସତ୍ୟତା ନାହିଁ, ଆକ୍ରେଶମୂଳକ ଭାବେ ଅଭିଯୋଗ କରାଯାଇଛି।