ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସାମାଜିକ ସଂଗଠନ “ଦ ମୁସଲିମ ସମାଜ” ପକ୍ଷରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରେରଣ କରାଯାଇଛି। ସ୍ମାରକପତ୍ରରେ ଗାଈକୁ ଜାତୀୟ ପଶୁ ଘୋଷଣା କରିବା, ଗୋହତ୍ୟା ଓ ଅବୈଧ ପଶୁ ବାଣିଜ୍ୟ ଉପରେ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରିବା ସହ ଦେଶବ୍ୟାପୀ ଗାଈ ସୁରକ୍ଷା ପାଇଁ ସମାନ ନୀତି ପ୍ରଣୟନ କରିବାକୁ ଦାବି କରାଯାଇଛି। ସଂଗଠନର ସଭାପତି ଜହିର ଖାନ ଏବଂ ସାଧାରଣ ସମ୍ପାଦକ ସବିର ଖାନ ଏକ ସଂଯୁକ୍ତ ବିବୃତିରେ କହିଛନ୍ତି ଯେ, ଗାଈ ସୁରକ୍ଷା ଭାରତର ଅନେକ ଲୋକଙ୍କ ଭାବନା ଓ ଆସ୍ଥା ସହ ଜଡିତ ରହିଛି। ତେଣୁ ଏହାର ସୁରକ୍ଷା ପାଇଁ ଆଇନଗତ ଓ ସାମ୍ବିଧାନିକ ପଦକ୍ଷେପକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ସେମାନେ ଆହୁରି କହିଛନ୍ତି ଯେ, ଗାଈ ସୁରକ୍ଷା ନାମରେ କୌଣସି ବ୍ୟକ୍ତି କିମ୍ବା ସଂଗଠନ ଆଇନକୁ ନିଜ ହାତକୁ ନେବା ଉଚିତ ନୁହେଁ। ରାତିର ଅନ୍ଧାରରେ ଗାଡ଼ି ଅଟକାଇବା, ସନ୍ଦେହ ଆଧାରରେ ଲୋକଙ୍କୁ ହଇରାଣ କରିବା, ମାଡ଼ ମାରିବା କିମ୍ବା ହିଂସାତ୍ମକ ଘଟଣା ଘଟାଇବା ଦେଶର ଆଇନ ଏବଂ ସାମାଜିକ ସଦ୍ଭାବ ପାଇଁ କ୍ଷତିକାରକ। ଯଦି କୌଣସି ଅବୈଧ କାର୍ଯ୍ୟ ସମ୍ପର୍କରେ ସନ୍ଦେହ ରହେ, ତେବେ ତାହାର ସୂଚନା ପୋଲିସ ଓ ପ୍ରଶାସନକୁ ଦେଇ ଆଇନ ଅନୁଯାୟୀ କାର୍ଯ୍ୟ ହେବାକୁ ଦେବା ଉଚିତ। ସାଧାରଣ ସମ୍ପାଦକ ସବିର ଖାନ କହିଛନ୍ତି ଯେ, “ଆମେ ଗାଈକୁ ସମ୍ମାନ କରିବୁ ଏବଂ ଗାଈ ସୁରକ୍ଷାକୁ ସମର୍ଥନ କରୁଛୁ। କିନ୍ତୁ ଗାଈ ସୁରକ୍ଷା ନାମରେ କୌଣସି ନିରୀହ ଲୋକଙ୍କ ଉପରେ ଆକ୍ରମଣ କିମ୍ବା ଆଇନକୁ ହାତକୁ ନେବାକୁ ଆମେ ସମର୍ଥନ କରୁନାହୁଁ। ଆସନ୍ତୁ ଆମେ ସମସ୍ତେ ମିଳିତ ଭାବେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଏବଂ ଆଇନ ମାଧ୍ୟମରେ ଗାଈ ସୁରକ୍ଷା ପାଇଁ କାମ କରିବା।” ସଂଗଠନ ପକ୍ଷରୁ ସମସ୍ତ ଗୋ-ସୁରକ୍ଷା ସଂଗଠନ, ସାମାଜିକ ଅନୁଷ୍ଠାନ ଓ ସଚେତନ ନାଗରିକମାନଙ୍କୁ ଆହ୍ୱାନ କରାଯାଇଛି ଯେ, ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଏକାଠି ହୋଇ ଗାଈ ସୁରକ୍ଷା, ସାମାଜିକ ସଦ୍ଭାବ ଓ ଜାତୀୟ ଏକତା ପାଇଁ କାମ କରନ୍ତୁ। “ହିନ୍ଦୁ-ମୁସଲିମ ଏକତା ହିଁ ଭାରତର ସବୁଠାରୁ ବଡ଼ ଶକ୍ତି। ଉଭୟ ସମ୍ପ୍ରଦାୟ ଏକ ସ୍ୱରରେ କଥା କହିଲେ ଦେଶରେ ଶାନ୍ତି, ଭାଇଚାରା ଓ ସଦ୍ଭାବର ନୂଆ ବାର୍ତା ପହଂଚିବ,” ବୋଲି ସେମାନେ କହିଛନ୍ତି। ଏହି ଅବସରରେ ସଂଗଠନର ସଭାପତି ଜହିର ଖାନ, ସାଧାରଣ ସମ୍ପାଦକ ସବିର ଖାନ, ଏସ୍.କେ. ତାସିମ, ରିୟାଜୁଦ୍ଦିନ ଖାନ, ଖାନ ସାହେବ, ଏସ୍.କେ. ବଗଦାଦ, ଏ.କେ. କମର, ମହମ୍ମଦ ଆଫଦାଲ, ଏ.କେ. ଉସମାନ, ମହମ୍ମଦ ତାହେର ଅଲି, ମହମ୍ମଦ ନୁରମୋଜାସମ, ରାଜା ଖାନ, ଏସ୍.କେ. ମିନହାଜ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦେଶର ସାମ୍ବିଧାନିକ ମୂଲ୍ୟବୋଧ, ଶାନ୍ତି, ସଦ୍ଭାବ ଓ ଜାତୀୟ ଏକତାକୁ ସୁଦୃଢ଼ କରିବା ହିଁ ସଂଗଠନର ମୂଳ ଲକ୍ଷ୍ୟ।