Odiapua.com

ଗାଁ ଦାଣ୍ଡରେ ଗଣହତ୍ୟା, ଟାଙ୍ଗିଆରେ ୪ ଜଣକୁ ହାଣି ଯୁବକ ଗିରଫ

କଳାହାଣ୍ଡି- ୦୭-୦୪ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ଥାନା ଅନ୍ତର୍ଗତ ବଡ ପୁଝାରୀଗୁଡା ଗ୍ରାମପଂଚାୟତ ର ପଲସ ପିପଲଗୁଡା ଗ୍ରାମରେ ମଦ ପିଆ ଘଟଣାରୁ ୪ ଜଣଙ୍କ ହତ୍ୟାକାଣ୍ଡ ଘଟିଛି। ପଲସ ପିପଲଗୁଡା ଗ୍ରାମର ସୁନ୍ଦର ନାଏକ, ଲିଙ୍ଗ ଶବର, ନକୁଳ ଶବର ଓ ଉପା ନାଏକଙ୍କୁ ସେହି ଗ୍ରାମର ଯତୀନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତି ଗୋଡାଇ ଗୋଡାଇ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡିଛି। ଜୟପାଟନା ପୋଲିସ ଘଟନା ସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଥିବା ପ୍ରକାଶ। ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପୋଲିସ ସତର୍କତାର ସହିତ ପଦକ୍ଷେପ ନେଉଥିବା ଜଣାପଡିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ଶନିବାର ସନ୍ଧ୍ୟା ୭ଟା ସମୟରେ ସୁନ୍ଦର, ଲିଙ୍ଗ, ନକୁଳ ଓ ଉପା ସମେତ ଯତୀନ୍ଦ୍ର ମିଶି ଗାଁ ମୁଣ୍ଡରେ ଥିବା ମଦଭାଟିରେ ମଦ ପିଉଥିଲେ। କୌଣସି କାରଣ ବଶତଃ ଯତୀନ୍ଦ୍ର ସହିତ ଅନ୍ୟ ମାନଙ୍କର ବଚସା ହୋଇଥିଲା। ଏଥିରେ ରାଗିଯାଇ ଯତୀନ୍ଦ୍ର ସେମାନଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପ୍ରାଣ ବିକଳରେ ସେମାନେ ନିଜ ବାଇକ ଓ ସାଇକେଲରେ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗୋଡାଇ ଗୋଡାଇ ହାଣି ପକାଇଥିଲା, ଫଳତଃ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଯତୀନ୍ଦ୍ର ସେଠାରୁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଥିବା ପ୍ରକାଶ।