Odiapua.com

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହାହେଲେ କର୍କଟ ରୋଗୀ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ବିତିଗଲାଣି । ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସ୍ୱାଧୀନ ଭାରତବର୍ଷର ଜନତାଙ୍କୁ ସେମାନଙ୍କର ମୌଳିକ ଅଧିକାର, ଗମନାଗମନ, ବାସ, ଖାଦ୍ୟ ଓ ସ୍ୱାସ୍ଥ୍ୟର ବିକାଶ ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରିବାର ଡିଣ୍ଡିମ ପିଟୁଛନ୍ତି । ହେଲେ ଆଜି ବି କେଉଁ ଉପାନ୍ତ ଅଂଚଳ ନୁହେଁ ଆମ ଓଡ଼ିଶା ରାଜ୍ୟର ଭଦ୍ରକ ଜିଲା ଚାନ୍ଦବାଲି-ନଳଗୋହିରା ପଂଚାୟତର ନୂଆଗାଁରେ ବସବାସ କରୁଥିବା ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପରିବାରଙ୍କ ପାଇଁ ଗମନାଗମନର ରାସ୍ତାଟିଏ ନଥିବାରୁ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଜଣେ କର୍କଟ ରୋଗାକ୍ରାନ୍ତ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲେ ମଧ୍ୟ ରାସ୍ତାଟିଏ ନଥିବାରୁ ଗାଁ ଠାରୁ ଦୀର୍ଘ ୧ କିମି ଦୂରରେ ଗାଡିଟି ରହିଗଲା । ଫଳରେ ଗାଁ ଓ ପରିବାର ଲୋକେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ସେ ଡାକ୍ତରଖାନାରେ ପହଞ୍ôଚଥିଲେ । ହୁଏତ ଅନ୍ୟ କୌଣସି ଗୁରୁତର ରୋଗୀ କିମ୍ବା ପ୍ରସୂତି ମହିଳା ହୋଇଥିଲେ ଅଧାରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥାନ୍ତା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ନୂଆଗାଁର କର୍କଟ ରୋଗରେ ପୀଡିତ ଦିଲ୍ଲୀପ ବିଶ୍ୱାଳଙ୍କ ଦେହ ଗୁରୁତର ହେବାରୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ତୁରନ୍ତ ଫୋନ୍ କରିଥିଲେ । ଅବଶ୍ୟ ଆମ୍ବୁଲାନ୍ସଟି ଯଥା ସମୟରେ ପହଞ୍ôଚଥିଲେ ମଧ୍ୟ ଗାଁ ଠାରୁ ଏକ କିଲୋମିଟର ଦୂରରେ ରାସ୍ତାର ଦୂରାବସ୍ଥା ଯୋଗୁଁ ଆସିପାରିଲାନାହିଁ । ତେବେ ଏହି ଗ୍ରାମର ରାସ୍ତାଟିଏ ପାଇଁ ଗ୍ରାମବାସୀମାନେ ବହୁବାର ସ୍ଥାନୀୟ ରାଜନେତା ଓ ପ୍ରଶାସନକୁ ଗୁହାରି କରିଥିଲେ ବି ଏପର୍ଯ୍ୟନ୍ତ ତାହା ହୋଇପାରିନଥିବାର ଅଭିଯୋଗ କରିଛନ୍ତି ଲୋକେ ।