Odiapua.com

ଗହ୍ମା ପୂର୍ଣ୍ଣିମାରେ ଅସହାୟ ଆଦିବାସୀ ପିଲାଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ ରାମଚନ୍ଦ୍ର

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ କିଏ କେତେ ପ୍ରକାର ପାଳିଆସୁଛନ୍ତି । କିନ୍ତୁ ଭଦ୍ରକର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରାମଚନ୍ଦ୍ର ବେହେରା ଏହି ଦିନଟିକୁ ଆଜି ନିଜର ଦିବଂଗତ ପତ୍ନୀଙ୍କ ସ୍ମୃତିରେ ଗଠନ କରିଥିବା ‘କିରଣବାଳା ସ୍ମୃତି ସଂସଦ’ ପକ୍ଷରୁ ଭଦ୍ରକ ବ୍ଲକ୍ ଅଧୀନସ୍ଥ ବଗମରା ଅଂଚଳରେ ଥିବା ମା’ ମଙ୍ଗଳା ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଶତାଧିକ ଆଦିବାସୀ ଗରିବ ପିଲାମାନଙ୍କୁ ମିଠା ଓ ରାକ୍ଷୀ ବଣ୍ଟନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଅଂଚଳର ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ ଆଦିବାସୀ ଗରିବ ପିଲାମାନଙ୍କୁ ବିନା ସରକାରୀ ସହାୟତାରେ ଶ୍ରୀ ବେହେରାଙ୍କ ଭଳି ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ମାଗଣାରେ ଶିକ୍ଷାଦାନ ଠାରୁ ଆରମ୍ଭ କରି ସମସ୍ତ ସହାୟତା ପ୍ରଦାନ କରାଯାଇଛି । ଏବଂ ଆଗାମୀ ଦିନରେ ଏହିଭଳି ଏହି ପିଲାମାନଙ୍କୁ ସହାୟତାର ହାତ ବଢାଇବେ ବୋଲି ଶ୍ରୀ ବେହେରା ନିଜେ ଉପସ୍ଥିତ ନଥାଇ ମଧ୍ୟ ସୂଚନା ଦେଇଛନ୍ତି । ତେବେ ଆଜି ଗହ୍ମା ପୂର୍ଣ୍ଣିମାର ପବିତ୍ର ଦିନରେ ଶ୍ରୀ ବେହେରା ନିଜ ପତ୍ନୀଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଏହି ଅସହାୟ ପିଲାମାନଙ୍କୁ ଯେଭଳି ଭାବେ ସହାୟତା ପ୍ରଦାନ ପୂର୍ବକ ସେମାନଙ୍କ ମୁହଁରେ ହସର ଝଲକ ସୃଷ୍ଟି କରିଛନ୍ତି, ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରଭାବିତ କରିବ ବୋଲି ଟ୍ରଷ୍ଟ ପକ୍ଷରୁ ମହେଶ୍ୱର ନାୟକ, ମୁନି ନାୟକ, ରୂପେଇ ମୁର୍ମୁ, କୁନି ମୁଣ୍ଡା, ସନ୍ତୋଷ କୁମାର ସାହୁ, ସୁବ୍ରତ ରଂଜନ ନାୟକ, ସୌମ୍ୟରଂଜନ ବାରିକ, କାମେଶ ନାୟକ, ରମାକାନ୍ତ ବେହେରା ପ୍ରମୁଖ ଗଣମାଧ୍ୟମକୁ କହିଛନ୍ତି ।