Odiapua.com

ଗଳ୍ପ ହାଏ ଟି ହେଲେ ଗୀତିକବିତା ହେଉଛି ପଇଡ଼ ପାଣି, ଲେଖିକା ଝରଣା ଓ ପ୍ରଭାତ ନଳିନୀଙ୍କ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ, କବିତା ଗୋଟେ ଗୋଟେ ଭାବକୁ ନେଇ ଲେଖା ଯାଉଥିଲା ବେଳେ ଗପ ଗୋଟେ ଗୋଟେ ଘଟଣା ବା ମନକୁ ଛୁଇଁଥିବା ଚରିତ୍ରକୁ ନେଇ ଲେଖା ହୋଇଥାଏ । ଉପନ୍ୟାସ, ଗଳ୍ପ, କବିତା ଓ ଗୀତିକବିତାକୁ ଯଥା କ୍ରମେ ଭୁରି ଭୋଜନ, ହାଏ ଟି, ଲସି ଓ ପଇଡ଼ ପାଣି ସହ ତୁଳନା କରା ଯାଇପାରେ । ଯେଉଁ ଗଳ୍ପ ପାଠକର ଅନେକ ଦିନ ଧରି ମନେ ରହେ ତାହା ଭଲ ଗପ ଓ ଯୋଉ ଗୀତିକବିତା ତାର ସାବଲୀଳ ପ୍ରବାହରେ ପାଠକକୁ ଭସାଇ ଦିଏ ତାହା ସଫଳ କବିତା ବୋଲି କୁଆଁସ ସ୍ଥିତ ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ବାସ ଭବନରେ ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ମତ ପ୍ରକାଶ ପାଇଛି । ଧାମନଗର କଲେଜର ଅଧ୍ୟକ୍ଷ କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗାଳ୍ପିକା ଝରଣା ପଟ୍ଟନାୟକଙ୍କ ଗଳ୍ପ ସଂକଳନ ‘ଭାବର ଅତିଥିମାନେ’ ଓ କବି ଡ଼ଃ ପ୍ରଭାତ ନଳିନୀ ମହାପାତ୍ରଙ୍କ ଗୀତିକବିତା ପୁସ୍ତକ ‘ସେଇ ସ୍ମୃତି ଜହ୍ନରାତି’ ଲୋକାର୍ପିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବିଧାୟକ ତଥା ‘ଘାସଫୂଲ’ର ସମ୍ପାଦକ ବିଷ୍ଣୁ ସେଠୀ, କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା ଓ ଶିବାନୀ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଗାଳ୍ପିକା ପଟ୍ଟନାୟକ ଓ କବି ଡ଼ଃ ମହାପାତ୍ରଙ୍କ ଲେଖକୀୟ ବକ୍ତବ୍ୟ ପରେ ପୁସ୍ତକ ଦ୍ୱୟର ସମୀକ୍ଷା କରିଥିଲେ କବି କିଶୋର ପାଣିଗ୍ରାହୀ ଓ ଅଧ୍ୟାପିକା ଡ଼ଃ ସୁକାନ୍ତି ମହାପାତ୍ର । ସ୍ୱାଗତ ସମ୍ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ରୋ. ଅଭିଜିତ ନାୟକ । ପ୍ରାଧ୍ୟାପିକା ଡ଼ଃ ଉତ୍ପଳା ନାୟକ ମଞ୍ଚ ଆମନ୍ତ୍ରଣ, କବି ବିଜୟ ବହଳି ବେଦ ପାଠ କରିଥିବା ବେଳେ କବି ଗୀତାରଣୀ ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାନ୍ତି, ଅଜୟ ନାୟକ, ରୂପକ ରାୟ, ଅରୂପାନନ୍ଦ, ହରମୋହନ କୁଅଁର, ନିର୍ମଳ ରାଉତ, ଅବନୀ ପ୍ରଧାନ, ରାଧାରାଣୀ ମହାପାତ୍ର, ଶକୁନ୍ତଳା ନାୟକ,ବାବୁଲାଲ ଦାସ, ରତିକାନ୍ତ ବେହେରା, ସୁଚିତ୍ରା ପାଣିଗ୍ରାହୀ, ଡା. ଅନିଲ ଦାଶ, ରମେଶ ଦାସ, ପ୍ରଭାତ ଜେନା, ଗୋଲକ ବିହାରୀ ସାହୁ, ଭରତ ଦାଶ, ମନୋରମା ରାୟ, ଜାନକୀ ପାଢୀ, ସରୋଜିନୀ ମହାପାତ୍ର, ପ୍ରୀତିଲତା ପଣ୍ଡା ପ୍ରମୁଖ ବହୁ କବି, କବୟିତ୍ରୀ, ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ । ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସହ ଅନ୍ୟମାନେ ସଭା ପରିଚାଳନା କରିଥିଲେ ।