Odiapua.com

ଗର୍ଭବତୀ ମହିଳାଙ୍କ ଆମ୍ବୁଲାନ୍ସରେ ରେଳ ଫାଟକ ଯୋଗୁଁ ଶୋଚନୀୟ ମୃତ୍ୟୁ

ଟିଟିଲାଗଡ଼ ୨-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡାକ୍ତରଖାନା କୁ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ପ୍ରସବ ନିମନ୍ତେ ଆଣିବା ବେଳେ ସ୍ଥାନୀୟ ହଡପଦା ସ୍ଥିତ ରେଳବାଇ ଫାଟକ ଦୀର୍ଘ ସମୟ ଧରି ପଡିରହିବା ଯୋଗୁଁ ଆମ୍ବୁଲାନ୍ସ ଡାକ୍ତର ଖାନାକୁ ସଠିକ ସମୟରେ ନ ପହଞ୍ଚି ପରିବାରୁ ଉଭୟଙ୍କର ଶୋଚନୀୟ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ବାଗଡେର ଗ୍ରାମର ଜୟନ୍ତୀ ବାଗ (୩୨) ନାମ୍ନୀ ଜଣେ ମହିଳାଙ୍କୁ ସିଂଧେକେଲାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଟିଟିଲାଗଡ଼ ହାତପଡା ଠାରେ ଥିବା ରେଳ ଫାଟକ ବନ୍ଦ ରହିଥିଲା, ଅନେକ ସମୟ ଅପେକ୍ଷା କରି ଥିଲେ ସୁଦ୍ଧା ଯନ୍ତ୍ରଣାରେ ଛଟପଟ ହେଉଥିବା ଉକ୍ତ ଜୟନ୍ତୀକୁ ଡାକ୍ତରଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ଶୋଚନୀୟ ମୃତ୍ୟୁ ଘଟିଥିଲା। ବିଗତ ଦିନରେ ଏହି ରେଳ ଫାଟକ ଯୋଗୁଁ ଏହିପରି ଘଟଣା ବାରମ୍ବାର ଘଟିବା ନେଇ ତୀବ୍ର ଜନ ଅସନ୍ତୋଷ ଦେଖା ଯିବା ସହ ସାତ ଘଣ୍ଟା ଧରି ସାଧାରଣ ରେଳ ଚଳାଚଳ ବନ୍ଦ କରି ଥିଲେ ଓ ଫ୍ଲାଇ ଓଭର ବ୍ରିଜ ତଥା ଏକ ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇଥିଲା। ଜାତୀୟ ରାଜପଥ ୪୯ କୁ ସଂଯୋଗ କରୁଥିବା ଏହି ସଡ଼କ ଓ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରେଳଜନକ୍ସନ କୁ ଅନେକ ଦ୍ରୁତ ଗାମୀ ରେଳ ଚଳାଚଳ ହୋଇଆସୁଛି। ପ୍ରଶାସନ ତରଫରୁ ଏକ ଫ୍ଲାଇ ଓଭର ସହ ଏକ ଅଣ୍ଡର ବ୍ରିଜ ନିର୍ମାଣ ଚାଲିଥିବା ବେଳେ ଅଧପନ୍ତରିଆ ଭାବେ ନିର୍ମାଣ କରି ଛାଡି ଦିଆ ଯାଇଛି। ଗତ ନିର୍ବାଚନ ପୂର୍ବରୁ ଯୁଦ୍ଧକାଳୀନ ଭିତିକ ଭାବେ ଉକ୍ତ ଅଣ୍ଡର ବ୍ରିଜ ନିର୍ମାଣ କରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଖୋଲି ଦିଆ ଯାଇଥିଲା। ସାଧାରଣ ଯାତାୟାତ କରିବା ସୁବିଧା ପାଉଥିବା ବେଳେ ତାହା ବନ୍ଦ କରି ଦିଆ ଯାଇଛି। ଏଣୁ ଏବେ ଉକ୍ତ ସମସ୍ୟା ପୂର୍ବ ପରି ସୃଷ୍ଟି ହୋଇଛି। ବିଭାଗୀୟ ପଦସ୍ଥ ଅଧିକାରୀ ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ କରି ଯଥାଶୀଘ୍ର ଏହି ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଦୃଢ ଦାବି ହେଉଛି।