Odiapua.com

ଗର୍ଭବତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ, ଟାଉନ୍ ଥାନା ପୁଲିସ୍ ବିରୁଦ୍ଧରେ ଏସ୍‌ପିଙ୍କୁ ଭେଟିଲେ ପରିବାର

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପୀରହାଟ ଥାନା ଅଧୀନସ୍ଥ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ କନ୍ୟା ପ୍ରଜ୍ଞାସିନୀଙ୍କୁ ଯୋଜନାବଦ୍ଧ ଭାବେ ସ୍ୱାମୀ ସମେତ ଶ୍ୱଶୁରଘର ଲୋକେ ହତ୍ୟା କରାଯାଇଥିବା ନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୁଲିସ୍ ସ୍ୱାମୀଙ୍କୁ ଅଟକ ରଖି ପରେ ଛାଡିଦେଇଥିବାରୁ ପ୍ରଜ୍ଞାସିନୀଙ୍କ ବାପଘର ଲୋକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାରେ ସବିଶେଷ ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ପ୍ରାପ୍ତ ଖବର ମୂଳେ ଗତ ୨୦୧୮ ମସିହା ଡିସେମ୍ବର ମାସରେ ପ୍ରଜ୍ଞାସିନୀଙ୍କ ସହିତ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନସ୍ଥ ଅରାଁ ଗ୍ରାମର ଖଗେଶ୍ୱର ଜେନାଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ବାବଦ ସମସ୍ତ ସୁନାଗହଣା ଓ ଅନ୍ୟାନ୍ୟ ଜିନିଷ ପ୍ରଦାନ କରାଯାଇଥିଲା । ବିବାହର କିଛି ମାସ ପରେ ସ୍ୱାମୀ ସମେତ ପରିବାର ଲୋକେ ପ୍ରଜ୍ଞାସିନୀଙ୍କୁ ଅଧିକ ଯୌତୁକ ଆଣିବା ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ଚାପ ପ୍ରୟୋଗ କରୁଥିଲେ ।

ପ୍ରଜ୍ଞାସିନୀଙ୍କ ପିତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କ ଶାଶୁଘର ପକ୍ଷରୁ ବାରମ୍ବାର ଦାବି କରାଯାଇଥିବା ଅର୍ଥ ଯୋଗାଡରେ ଅକ୍ଷମତା ପ୍ରକାଶ କରିବାରୁ ଝିଅକୁ ମାଡଗାଳି ସହ ଅପମାନିତ ହେବାକୁ ପଡୁଥିଲା । ପ୍ରଜ୍ଞାସିନୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପାଳିଆବିନ୍ଧା ଶାଖାରେ ଚାକିରୀ କରୁଥିଲେ । ତାଙ୍କର ଦରମା, ଏଟିଏମ୍ ଓ ବୀମା କାଗଜପତ୍ର ସ୍ୱାମୀଙ୍କ ପାଖରେ ରହୁଥିଲା । ଯିବା ଆସିବା ଖର୍ଚ୍ଚ ବାବଦକୁ ତାଙ୍କୁ ମାସିକ ମାତ୍ର ୨ ହଜାର ଟଙ୍କା ଦିଆଯାଉଥିଲା । କିଛିଦିନ ପରେ ଝିଅ-ଜ୍ୱାଇଁ ଭଦ୍ରକର ଗବସାହିସ୍ଥିତ ମୋଟେଲଛକରେ ଏକ ଭଡାଘରେ ରହୁଥିଲେ । ଯୌତୁକ ଲୋଭରେ ପ୍ରଜ୍ଞାସିନୀକୁ ଗତ ୧୦ ତାରିଖରେ ଯୋଜନାବଦ୍ଧ ଭାବେ ହତ୍ୟା କରି ନାଟକୀୟ ଢଙ୍ଗରେ ବାଥରୁମ୍‌ରୁ ପଡି ଗୁରୁତର ହୋଇଥିବା ବିଷୟ ୬ ଘଣ୍ଟା ପରେ ତାଙ୍କ ବାପଘର ଲୋକଙ୍କୁ ଅବଗତ କରାଯାଇଥିଲା । ତେବେ ତଦନ୍ତ ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀ ସଠିକ୍ ତଦନ୍ତ ନକରି ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାରୁ ଛାଡିଦେବା, ପୁଲିସ୍‌ର ନିରପେକ୍ଷ ତଦନ୍ତ ଦିଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଛି । ଏଣୁ ଅଭିଯୁକ୍ତମାନଙ୍କ ପ୍ରତି ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ପ୍ରଜ୍ଞାସିନୀଙ୍କ ପିତା ଅଭିଯୋଗ କରିବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ, ଉଚ୍ଚ ପଦାଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।