Odiapua.com

‘ଗରିମା’ ଯୋଜନା ଅନ୍ତର୍ଗତ ଚିହ୍ନଟ ହୋଇଥିବା ପ୍ରମୁଖ ପରିମଳ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଆଇ.ଡ଼ି. କାର୍ଡ ପ୍ରଦାନ ଶିବିର

ପୁରୀ ୨୭-୮ (ଓଡ଼ିଆ ପୁଅ) ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ କୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ୧୧ ସେପ୍ଟେମ୍ବର ୨୦୨୦ ରେ’ଗରିମା’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାରେ ପ୍ରାୟ ୨୦୦୦୦ ପ୍ରମୁଖ ପରିମଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। ପ୍ରମୁଖ ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସେବାସ୍ତରର ସୁବିଧା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରାଯିବାରେ ଆମ ଦେଶରେ ‘ଗରିମା’ ଯୋଜନା ସର୍ବପ୍ରଥମ, ଯାହା ଦ୍ୱାରା ପ୍ରମୁଖ ପରିମଳ ସେବା ଯୋଗାଣ କୁ ଅନୁଷ୍ଠାନିକ ତଥା ନିୟନ୍ତ୍ରିତ କରାଯାଇ ପାରିବ।

ଯୋଜନା କୁ ତ୍ୱରାନ୍ୱିତ କରିବାର ପରବର୍ତ୍ତୀ ପଦକ୍ଷେପ ରେ ଆଜି ପୁରୀ ସହରରେ ଗରିମା ଯୋଜନାରେ ଚିହ୍ନଟ ହୋଇଥିବା ୩୬୯ ଜଣ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ସ୍ୱତନ୍ତ୍ର ‘ଗରିମା’ ଆଇ.ଡ଼ି. କାର୍ଡ ପ୍ରଦାନ କରିବା ପାଇଁ ଏକ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ପୁରୀ ଯୋଗଦେଇ ପ୍ରମୁଖ ପରିମଳ କର୍ମଚାରୀମାନଙ୍କୁ ‘ଗରିମା’ ଯୋଜନା ବିଷୟ ରେ ଅବଗତ କରାଇଥିଲେ। ଏହି ଶିବିର ରେ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରମୁଖ ପରିମଳ କର୍ମଚାରୀ ମାନଙ୍କୁ ସଫେଇ କାର୍ଯ୍ୟ କରିବା ସମୟରେ ସୁରକ୍ଷା ପୋଷାକ ଓ ସୁରକ୍ଷା ଉପକରଣ ବ୍ୟବହାର ଓ ଉପଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ “ଗରିମା” ର ରାଜ୍ୟ ସହାୟତା ୟୁନିଟର ମୁଖ୍ୟ ରଶ୍ମିତା ପଟେଲ ଯୋଜନାକୁ ସଫଳ କରିବାରେ ପ୍ରମୁଖ ପରିମଳ କର୍ମଚାରୀ ମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରୀ ପୌରପାଳିକା ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ‘ଗରିମା’ ଯୋଜନା ପାଇଁ ଉଦ୍ଧିଷ୍ଟ ପରିଚାଳନା ଟିମ ଯୋଗ ଦେଇ ଯୋଜନାରେ ଅନ୍ୟ ସୁବିଧା ସୁଯୋଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପରିଶେଷରେ ଶ୍ରୀ ରାମଚନ୍ଦ୍ର ସାମଲ, ଗରିମା ସଂଯୋଜକ, ପୁରୀ ପୌରପାଳିକା, ସମସ୍ତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ସମାପ୍ତ କରିଥିଲେ।