Odiapua.com

ଗରଦପୁରରେ ସରକାରୀ ରାସ୍ତାକୁ ଅବରୋଧ କରି ଚାଲିଛି ଘର ନିର୍ମାଣ, ଜଣେ ବ୍ୟକ୍ତି ବେଆଇନ୍ ଭାବେ କରି ସାରିଛନ୍ତି ଘର, ଯାତାୟତ ପଥ ସମ୍ପୂର୍ଣ୍ଣ ଅବରୋଧ

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଏବେ ସରକାରୀ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରୁ ପ୍ରଶାସନ ପକ୍ଷରୁ ବେଆଇନ୍ ଅବରୋଧ ଉଚ୍ଛେଦ ଅଭିଯାନ ଚାଲିଛି । ପ୍ରଶାସନ ପକ୍ଷରୁ ପ୍ରାୟ ୨ଶହରୁ ଅଧିକ ସ୍ଥାୟୀ, ଅସ୍ଥାୟୀ ଓ କେବିନ ଦୋକାନଘରକୁ ଭଙ୍ଗା ଯାଇଛି । ଏପରିସ୍ଥଳେ ସହରାଚଂଳ ର ୨୯ନମ୍ବର ୱାର୍ଡ ଅଧିନ ଗରଦପୁର ଗାଁରେ ଏକ ସରକାରୀ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ଜଣେ ପ୍ରଭାବଶାଳୀ ବ୍ୟକ୍ତି ତହିଁରେ ବଳପୂଳର୍ବକ ଘର ନିର୍ମାଣ କରୁଛି । ଫଳରେ ଉକ୍ତ ରାସ୍ତାଟିରେ ଅବରୋଧ ଯୋଗୁଁ ଚାରି ଓ ୩ ଚକିଆ ଯାନବାହାନ ସହ ୨ଚକିଆ ଯାନ ଯାତାୟତ କରିବା ବନ୍ଦ ହୋଇଯାଇଛି । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ ତହସିଲ ଅଧିନ ୩୦ନମ୍ବର ୱାର୍ଡ ଗରଦପୁର ମୌଜାର ପ୍ଲଟ ନମ୍ବର-୨୧୫୧ ପ୍ଲଟ ନମ୍ବର-୨୧୩୬ଟି ସରକାରୀ ରାସ୍ତା ଓ ଗୋଦାଣ୍ଡ କିସମର ଜମି ଅଟେ । ଏହି ଜମିରୁ ଗୋଟିଏ ପ୍ଲଟରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ପୂର୍ବରୁ କୋଠାଘର ନିର୍ମାଣ କରିଥିବା ବେଳେ ଅବଶିଷ୍ଟ ସରକାରୀ ରାସ୍ତା କିସମ ଜମିରେ ଅନ୍ୟଜଣେ ପ୍ରଭାବଶାଳୀ ବ୍ୟକ୍ତି ଗତ ୩ଦିନ ହେବ କୋଠାଘର ବଳପୂର୍ବକ ନିର୍ମାଣ କରୁଛି । ପୌରପାଳିକା ଅଧିନରେ ଥିବା ଏହି ରାସ୍ତାଟି ସମ୍ପୂର୍ଣ୍ଣ ଅବରୋଧ ହୋଇପଡିଛି । ଯାତାୟତ ଏକପ୍ରକାର ବନ୍ଦ ହୋଇ ଯାଇଛି । ଏନେଇ ନିଜ ଘରକୁ ଯାତାୟତରୀୁ ବଂଚିତ ପରିବାର ପକ୍ଷରୁ ଭଦ୍ରକ ତହସିଲଦାରଙ୍କୁ ଗତ ୧୨ତାରିଖରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପାଇବା ପରେ ତହସିଲଦାରଙ୍କ ଆଦେଶକ୍ରମେ ଭଦ୍ରକ ସଦର ରାଜସ୍ୱ ନୀରିକ୍ଷକ ଶରତ ମହାନ୍ତି ଘଟଣାସ୍ଥଳକୁ କ୍ଷେତ୍ରୀୟ ତଦନ୍ତରେ ଯାଇ ଉକ୍ତ ରାସ୍ତାକୁ କିଛି ବ୍ୟକ୍ତି ଜବରଦଖଲ କରିଥିବା ଜାଣିବାକୁ ପାଇଛନ୍ତି । ତେବେ ଉକ୍ତ ପ୍ଲଟରେ ସରକାରୀ ଅମିନଙ୍କ ସହହାୟତରେ ଡିମାରକେଶସନ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକୁ ତୁରନ୍ତ ବନ୍ଦ କରି ଉଚ୍ଛେଦ କରାନଗଲେ ପ୍ରାୟ ୧୦ଟି ପରିବାର ଲୋକେ ନିଜ ଘରକୁ ଯାତାୟତ କରିବାରୁ ବଂଚିତ ହେବେ । ଅନ୍ୟପକ୍ଷରେ ସଇଦାବାଦ କୁ ଗରଦପୁର ଅଂଚଳକୁ ଯାତାୟତ କରିବା ମଧ୍ୟ ବ୍ୟାହତ ହେବ । ଏଥିସହ ବିପଦ ଆପଦ ବେଳେ ବହୁ ଲୋକଙ୍କ ଘରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଆସି ପାରିବ ନାହିଁ । ଏଣୁ ଭଦ୍ରକ ର ନୂତନ ଜିଲ୍ଲାପାଳ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ ରାସ୍ତାକୁ ଅବରୋଧ କରି ଘଣ ନିର୍ମାଣ କରୁଥିବା ଜବର ଦଖଲକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।