Odiapua.com

ଗତ ୨୦୧୮-୧୯ ଖରିଫରେ ଧାନ ସଂଗ୍ରହ କାରବାରରେ ୩୨ କୋଟୀରୁ ଉର୍ଦ୍ଧ ଟଙ୍କା ହେରାଫେରୀ ହୋଇଥିବା ଅଭିଯୋଗ

କଳାହାଣ୍ଡି – ୨୨.୦୩.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶାର ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ କଳାହାଣ୍ଡି ମାନ୍ୟତା ପାଇଥିବା ବେଳେ ଏହି ଜିଲ୍ଲାର ଚାଷୀ ମାନଙ୍କର ସେଭଲି କିଛି ଉନ୍ନତି ପରିଲକ୍ଷିତ ହୋଇପାରୁନାହିଁ । ଚାଷୀ ସଦା ସର୍ବଦା ଶୋଷିତ, ଲୁଣ୍ଠିତ ଓ ଅବହେଲିତ ଏବଂ କଳାହାଣ୍ଡି ଜିଲ୍ଲାରେ ଏହା ସବୁଠାରୁ ଆଗରେ । ସରକାରଙ୍କ ଯେତେସବୁ ଯୋଜନା କଳାହାଣ୍ଡିର ଚାଷୀଙ୍କ ପାଖକୁ ପହଂଚିପାରେ ନାହିଁ ବୋଲି ଚାଷୀ ମହଲରେ ଅଭିଯୋଗ ହେଲେ ହେଁ ସେଥିପ୍ରତି କାହାର ନଜର ପଡେନାହିଁ ବୋଲି ଚାଷୀନେତାମାନଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡିଆ ଚାଷୀଙ୍କ ମୂଖ୍ୟ ଚାଷ ହେଲା ଧାନ ଚାଷ ଏବଂ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ବିଶେଷ କରି ଧର୍ମଗଡ ଉପଖଣ୍ଡରେ ଧାନ ଉତ୍ପାଦନ ଯଥେଷ୍ଟ ପରିମାଣରେ ବୃଦ୍ଧିପାଇବାରେ ଲାଗିଛି । ଅନ୍ୟପକ୍ଷରେ ଧାନ କିଣା କାରବାରରେ ସଂପୃକ୍ତ ଥିବା ଲୋକଙ୍କ ଆର୍ଥôକ ଅବସ୍ଥା ବୃଦ୍ଧି ପାଇଥିବା ବେଳେ ବର୍ଷ ତମାମ ପରିଶ୍ରମ କରି ଧାନ ଚାଷ କରୁଥିବା ଚାଷୀର ଅବସ୍ଥା ସୁଧୁରୁ ନଥିବାର ଜଣାପଡିଛି । ଅନ୍ୟପକ୍ଷରେ ଧାନ ଚାଷ ପ୍ରାରମ୍ଭରୁ ଅନ୍ୟ ଉପରେ ନିର୍ଭର କରି ଆସୁଥିବା ଚାଷୀକୁ କିଛି ଲାଭ ଖୋର ମିଲର୍ସ ଚଢାମୂଲ୍ୟରେ ବିହନ, ସାର, ଔଷଧ ଯୋଗାଇ କମ ମୂଲ୍ୟରେ ଧାନ ନେଇ ଏକପ୍ରକାର ଲୁଟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଯୋଗାନ ନିଗମର ଏଜେଂଟ ଭାବେ ଧାନ କିଣୁଥିବା ସମବାୟ ସମିତି ଗୁଡିକରେ ଚାଷୀ ପଂଜୀକରଣରେ ବ୍ୟାପକ ହେରାଫେରୀ କରାଯାଇ ମୃତାହତ ବ୍ୟକ୍ତିଙ୍କ ଜମିକୁ ଏବଂ ଅନ୍ୟ ଚାଷୀର ଜମିକୁ କେତେକ ଲାଭ ଖୋର ଅସାଧୁ ମିଲର୍ସ ନିଜ ନାମରେ ଓ ନିଜ ସଂପର୍କୀୟ ମାନଙ୍କ ନାମରେ ଚାଷୀ ପଂଜୀକରଣ କରାଇ ନେଇ ସେହି ସ୍ଥାନୀୟ ମଣ୍ଡିରେ ଟେଗିଂ କରାଇ ନେଇ ବ୍ୟାପକ ଅନିୟମିତତା କରୁଥିବାର ଅନେକ ଅଭିଯୋଗ ହୋଇ ଆସୁଛି । ବିଶେଷ କରି ମଣ୍ଡିରେ ସ୍ଥାନୀୟ ମିଲର୍ସଙ୍କ ଟେଗିଂ ଧାନ କିଣା କାରବାରରେ ଅନେକ ପ୍ରକାର ଅନିୟମିତତା ଏବଂ ଚାଷୀ ଶୋଷଣର ମୂଖ୍ୟ କାରଣ ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଆସୁଛି । ଏପରିକି କାଗଜ ପତ୍ରରେ ପାକ୍ସ ଦାନ କିଣୁଥିବା ବେଳେ ବାସ୍ତବ କ୍ଷେତ୍ରରେ ମିଲର୍ସ ହିଁ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିଥାଏ ଏବଂ ଗାଣିତିକ ମେଟ୍ରିକ୍ସ ପଦ୍ଧତିରେ ଶହେ କେଜିରେ ଏକ କ୍ୱିଂଟାଲ ହେଉଥିବା ବେଳେ ମଣ୍ଡିରେ ଚାଷୀଙ୍କ ଧାନ ଓଜନ କରିବା ବେଳେ ଶହେ ପାଂଚରୁ ଶହେ ଦଶ କେଜିରେ ଏକ କ୍ୱିଂଟାଲ ହିସାବ କରାଯାଇ ଚାଷୀଙ୍କ ଧାନକୁ କ୍ୱିଂଟାଲ ପିଛା ପାଂଚ ରୁ ଦଶ କେଜି ସିଧାସଳଖ ହଡପ କରାଯାଉଥିବାର ଚାଷୀ ମହଲରେ ଅଭିଯୋଗ ହୋଇଆସୁଛି । ଏହିଭଲି ଭାବେ କଳାହାଣ୍ଡି ଜିଲ୍ଲାରେ ପ୍ରତି କେଏମଏସ ବର୍ଷର ଉଭୟ ଖରିଫ ଓ ରବି ଋତୁରେ କୋଟୀ କୋଟୀ ଟଙ୍କାର ସ୍ପଷ୍ଟ ଦିବାଲୋକରେ ହରିଲୁଟ କରାଯାଉଥିବାର ଅଭିଯୋଗ ହେଉଛି । କାଗଜ ପତ୍ରରେ ଧାନ କିଣା କାରବାର ଠିକ ଚାଲିଥିବା କୁହାଯାଉଥିବା ବେଳେ ବାସ୍ତବତା ସଂପୂର୍ଣ୍ଣ ଓଲଟା ।  ଗତ ୨୦୧୮-୧୯ ଖରିଫ ରେ କଳାହାଣ୍ଡି ଜିଲ୍ଲାରେ ମୋଟ ୩୬ ଲକ୍ଷ ୭୭ ହଜାର ୯୩୦.୭୮ କ୍ୱିଂଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି । ଭବାନୀପାଟଣା ବ୍ଲକରେ ୧୬୮୯୧୨.୯୯ କ୍ୱିଂଟାଲ, କେସିଙ୍ଗା ବ୍ଲକରେ ୨୧୧୮୧୦.୯୦ କ୍ୱିଂଟାଲ, ଲାଂଜିଗଡ ବ୍ଲକରେ ୪୨୧୯୭.୫୨ କ୍ୱିଂଟାଲ, ମ.ରାମପୁର ବ୍ଲକରେ ୧୭୩୩୮୯.୯୧ କ୍ୱିଂଟାଲ, ନର୍ଲା ବ୍ଲକ ରେ ୩୭୯୫୯୬.୯୫ କ୍ୱିଂଟାଲ, କର୍ଲାମୁଣ୍ଡା ବ୍ଲକରେ ୨୬୧୧୯୦.୫୯ କ୍ୱିଂଟାଲ ଧାନ କାଗଜ ପତ୍ରରେ ସଂଗ୍ରହ ହୋଇଥିବା ବେଳେ ଜୁନାଗଡ ବ୍ଲକରେ ୮୧୭୦୦୬.୭୬ କ୍ୱିଂଟାଲ, କଲମପୁର ବ୍ଲକରେ ୩୬୫୩୯୩.୦୯ କ୍ୱିଂଟାଲ, ଜୟପାଟଣା ବ୍ଲକରେ ୫୬୯୦୩୬.୭୬ କ୍ୱିଂଟାଲ, କୋକସରା ବ୍ଲକରେ ୩୩୦୫୧୮.୨୪ କ୍ୱିଂଟାଲ ଧର୍ମଗଡ ବ୍ଲକରେ ୨୫୯୫୧୭.୭୧ କ୍ୱିଂଟାଲ, ଗୋଲାମୁଣ୍ଡା ବ୍ଲକରେ ୯୯୩୫୯.୩୬ କ୍ୱିଂଟାଲ ଧାନ କାଗଜ ପତ୍ରରେ ସଂଗ୍ରହ କରାଯାଇଥିବା ଜଣାପଡିଛି । ଏସବୁ ଧାନ ସଂଗ୍ରହ କାରବାର ପାଇଁ କାଗଜପତ୍ରରେ ଧାନ କିଣୁଥିବା ସମବାୟ ସମିତି ଗୁଡିକ ଧାନର ମୂଳ୍ୟର ଶତକଡା ୨.୫ ଟଙ୍କା ହିସାବରେ କୋଟୀ କୋଟୀ ଟଙ୍କା କମିଶନ ପାଉଥିବା ବେଳେ ଆରଏମସି ଶତକଡା ୨ ଟଙ୍କା ହିସାବରେ ମଧ୍ୟ କୋଟୀ କୋଟୀ ଟଙ୍କା କମିଶନ ପାଉଥିବା ଜଣାପଡିଛି । ସେହିପରି ଚାଷୀଙ୍କ ଠାରୁ ବିଭିନ୍ନ ବାହାନା କରି କ୍ୱିଂଟାଲ ପିଛା ୫ କେଜିରୁ ଦଶ କେଜି ପର୍ଯ୍ୟନ୍ତ ଅଧିକ ଧାନ ନିଆଯାଉଥିବା ବେଳେ ହାରାହାରି ଯଦିଓ ୫ କେଜି ହିସାବ କରାଯାଏ ତେବେ ମୋଟ ୩୬ ଲକ୍ଷ ୭୭ ହଜାର ୯୩୦ କ୍ୱିଂଟାଲ ଧାନ ଠାରୁ ଅଧକା ୧ ଲକ୍ଷ ୮୩ ହଜାର ୮୯୬.୫୦ କ୍ୱିଂଟାଲ ଧାନ ଚାଷୀଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ହରିଲୁଟ ହୋଇଥିବା ଅଭିଯୋଗ ହେଉଛି । ଏଠାରେ ସ୍ମରଣ ଯୋଗ୍ୟ ଯେ, କଳାହାଣ୍ଡିରେ ଏଫଏକୁ୍ୟ ମାନର ଧାନ ହିଁ କିଣା ଯାଇଥିବା କୁହାଯାଇପାରେ କିନ୍ତୁ ଏଫଏକୁ୍ୟ କରାଯିବା ପାଇଁ ଯେଉଁ ୫ ରୁ ୧୦ କେଜି କ୍ୱିଂଟାଲ ପିଛା ଅଧିକା ଧାନ ନିଆଯାଇଥାଏ ତାହା କାଗଜ ପତ୍ରରେ ହିସାବକୁ ଆସିନଥାଏ । ଏଭଲି ଭାବେ ଗତ ୨୦୧୮-୧୯ ଖରିଫ ଋତୁର ଯଦିଓ ହିସାବ କରାଯାଏ ଏବଂ କ୍ୱିଂଟାଲ ପିଛା ୫ କେଜି ଅଧରକ ଧାନ ନିଆଯାଉଥାଏ ତେବେ ଚାଷୀଙ୍କ ଠାରୁ ୩୨ କୋଟୀ ୧୮ ଲକ୍ଷ ୧୮ ହଜାର ୮୭୫ ଟଙ୍କା ବିଭିନ୍ନ ଉପାୟରେ ସ୍ପଷ୍ଟ ଦିବାଲୋକରେ ହରିଲୁଟ ହୋଇଛି । ଏହା ମଧ୍ୟ ସ୍ପଷ୍ଟ ଯେ, ମଣ୍ଡିରେ ଚାଷୀ ଧାନ ନେବାପରେ କେମିତି ଶୀଘ୍ର ଧାନ ବିକି ଦେଇ ଆଗାମୀ ଚାଷ କରିବାକୁ ପ୍ରସ୍ତୃତ କରିବ କିମ୍ବା ନିଜର ଆବଶ୍ୟକତା ପାଇଁ ଟଙ୍କା ପାଇବ ସେହି ଚିନ୍ତାରେ ଥିବା ବେଳେ ବାଧ୍ୟ ହୋଇ ୫/ ୧୦ କେଜି ଧାନକୁ ଗୁରୁତ୍ୱ ଦେଇ ନଥାଏ ବୋଲି ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଚାଷୀଙ୍କ ଯେତେ ଯାହା ସବୁ ଆପତି ଅଭିଯୋଗ ହେଲେ ହେଁ ଯୋଗାଣ ବିଭାଗ ସେସବୁକୁ ଅଣଦେଖା କରୁଥିବା ହେତୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ମାତ୍ର ୭୪ ଜଣ ମିଲର୍ସଙ୍କ ପ୍ରତି ଅନୁକମ୍ପା ଦେଖାଯାଉଥିବା ବେଳେ ଜିଲ୍ଲାର ୫୮ ହଜାରରୁ ଉଦ୍ଧ୍ୱ ଚାଷୀଙ୍କ କୌଣସି ଦାବୀକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହେଉଛି । ଚାଷି ଶୋଷିତ ହେଉଥିଲେହେଁ ଅନ୍ୟ କୌଣସି ପନ୍ଥା ନାହିଁ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । କଳାହାଣ୍ଡିରେ ଧାନ କିଣା କାରବାର ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।