Odiapua.com

ଗତିଶୀଳତା ହିଁ ସଶକ୍ତିକରଣ : ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ମୁଖ୍ୟାଳୟରେ ଭି.ସି. ଜରିଆରେ ସାରା ରାଜ୍ୟ ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ପରେ ଭଦ୍ରକ ଜିଲ୍ଲାପାଇଁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏବଂ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଏଲ୍‌.ଡ଼ି.ଏମ୍‌. ନାଗେଶ୍ୱର ରାଓ, ସି.ଡ଼ି.ଓ. ସରୋଜ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇ ପତାକା ପ୍ରଦର୍ଶନ ପୂର୍ବକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସ୍କୁଟର ପାଇଥିବା ୨୯୯ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୬୦ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସ୍କୁଟର ପ୍ରଦାନ କରାଯଇ ଉତ୍ସାହିତ କରାଯାଇଥିଲା । ସୂଚନା ଯୋଗ୍ୟକି ମିଶନ ଶକ୍ତି ସ୍କୁଟର ଯୋଜନାରେ ଅଦ୍ୟାବଧି ଭଦ୍ରକ ଜିଲ୍ଲାରେ ସମୁଦାୟ ୧୮୫୫ ଟି ଦରଖାସ୍ତ ମିଳିଥିଲା ବେଳେ ୧୮୪୯ ଟି ଦରଖାସ୍ତ ୧୨ଟି ବ୍ୟାଙ୍କକୁ ପ୍ରଦାନ କରାଯାଇଛି ।

ସେଥିମଧ୍ୟରେ ୫୬୮ ଜଣ ଦରଖାସ୍ତକାରୀଙ୍କ ପାଇଁ ଋଣ ମଞ୍ଜୁରି ସରିଛି ଏବଂ ୨୯୯ ଜଣ ଆବେଦନକାରୀଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ମହିଳା ସ୍ୱୟଂ ସହାୟିକା ଫେଡ଼େରେସନ ଏକ୍‌ଜିକ୍ୟୁଟିଭ୍ କମିଟି ମେମ୍ବର, କମ୍ୟୁନିଟି ଷ୍ଟାଫ୍‌, ଗ୍ରା.ପ., ବ୍ଲକ୍‌, ନଗର, ଜିଲ୍ଲା ମହାସଂଘ କାର୍ଯ୍ୟାଳୟ ଧାରକ ମାନଙ୍କୁ ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଜରିଆରେ ଏହି ସ୍କୁଟର ଯୋଗାଇ ଦିଆଯାଉଛି । ଭଦ୍ରକ ଜିଲ୍ଲା ପାଇଁ ୬୪୯୩ ଧାର୍ଯ୍ୟଲକ୍ଷ୍ୟ ଥିଲାବେଳେ ଏହି ସୁବିଧା ନେବାପାଇଁ ଅଦ୍ୟାବଧି ୨୯୨୧ ସଦସ୍ୟା ଆଗ୍ରହ ପ୍ରକାଶ କରିଛନ୍ତି । ମିଶନ ଶକ୍ତି ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା, ଦକ୍ଷତା ବଢ଼ାଇବା, ସମୟର ସୁବିନିଯୋଗ କରିବା ଆଦି ଦିଗରେ ସ୍କୁଟର କିପରି ଉପଯୋଗୀ ହୋଇପାରିବ ଅତିଥିମାନେ ଉପସ୍ଥିତ ହିତାଧିକାରୀ ମାଆ ମାନଙ୍କୁ ବୁଝାଇ କହିଥିଲେ । ପୁଣି ସ୍କୁଟର ଚାଳନାରେ ସଡ଼କ ସୁରକ୍ଷାର ସମସ୍ତ ନିୟମ ମାନିବାକୁ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ । ପତାକା ପ୍ରଦର୍ଶନ ପୂର୍ବକ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାଆ ମାନଙ୍କ ଦ୍ୱାରା ସ୍କୁଟର ଚାଳନାର ଶୁଭାରମ୍ଭ କରାଯାଇଥିଲା । ପୂର୍ବାହ୍ନରେ ସାରାରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭି.ସି. ଜରିଆରେ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଏଲ୍‌.ଡ଼ି.ଏମ୍ ଆର.ଟି.ଓ.ଙ୍କ ସହ ସଂପୃକ୍ତ ଅଧିକାରୀ ଓ ମିଶନ ଶକ୍ତି ମହିଳାମାନେ ସାମିଲ ହୋଇଥିଲେ । ଓ.ଏଲ୍‌.ଏମ୍‌. ର ଡ଼ି.ପି.ଏମ୍‌. ସଞ୍ଜୟ କୁମାର ବାରିକ, ଡି.ପି.ସି. ଅଭିକ ନାରାୟିନ୍ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।