ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ରାସ୍ତା ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ଅଞ୍ଚଳବାସୀ ଯା ଆସ କରିବାରେ ନା ନା ଅସୁବିଧା ଭୋଗ କରି ଆସୁଛନ୍ତି । ଏନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଇ କେତେକ ସ୍ଥାନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉଦ୍ୟମରେ ଏହି ବ୍ଲକର ୮ଗୋଟି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ କରାଯାଇଥିଲା । ଫଳରେ ଖୁବ୍ ଶୀଘ୍ର ଏହି ରାସ୍ତା ଗୁଡିକୁ ନିର୍ମାଣ କରାଯିବ ବୋଲି ଜଣାପଡିଥିଲା । ଏହି କ୍ରମରେ ଆଜି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁପର୍ଣ୍ଣା ସୋରେନ,କନିଷ୍ଠ ଯନ୍ତ୍ରୀ ସୁରଥ କୁମାର ବେହେରା ଏହି ରାସ୍ତାର ମାପ ଜୁପ କରିଛନ୍ତି । ଏଥିରେ କେଉଁ କେଉଁ ସ୍ଥାନରେ କଲ୍ଭର୍ଟ,କଂକ୍ରିଟ୍ ୱାଲ୍,ପକ୍କା ରାସ୍ତା ଓ ପିଚୁ ଆଦି କରାଯିବା ନେଇ ତଦାରଖ ହୋଇଛି । ପ୍ରକାଶଥାଉକି ବାରିକପୁର ବନ୍ତ ପୁର୍ତ୍ତ ବିଭାଗ ରାସ୍ତାର ଗଣ୍ଡଗରା ସ୍କୁଲ ଠାରୁ ବାହାରି ମୁଗଗଢିଆ ଗୋହିରାପଦୀ ଦେଇ କେନ୍ଦୁଆପଦା ମହତାବ ମହାବିଦ୍ୟାଳୟ ଠାରେ ଏହି ରାସ୍ତାଟି ଲାଗିଛି । ୫କି.ମି ବ୍ୟାପି ଏହି ରାସ୍ତା ଦେଇ ସଂପୃକ୍ତ ଗ୍ରାମବାସୀଙ୍କ ସମେତ ନିକଟସ୍ଥ କେନ୍ଦୁଆପଦା ରେଳଷ୍ଟେସନ୍,ଡାକ୍ତର ଖାନା,ମହାବିଦ୍ୟାଳୟ,ହାଇସ୍କୁଲ,ଷ୍ଟେଟ୍ବ୍ୟାଙ୍କ ଆଦିକୁ ଲୋକେ ଦୈନଦିନ କାର୍ଯ୍ୟ ପାଇଁ ବହୁ ସଂଖ୍ୟାରେ ଯା ଆସ କରିଥାନ୍ତି । ସେପରି ସ୍ଥଳେ ରାସ୍ତାଟି କଚ୍ଚା ଓ ଖାଲ ଖମାରେ ପରିଣତ ହୋଇଥିବାରୁ ବିଭିନ୍ନ ସମୟରେ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ । ଆଜିର ଏହି ତଦାରଖ ପରେ ସେମାନଙ୍କ ମଧ୍ୟରେ ରାସ୍ତା ନିର୍ମାଣ ନେଇ ଆଶା ସଂଞ୍ଚାର ହୋଇଛି । ଏହାକୁ ନେଇ ସେମାନେ ବିଧାୟକଙ୍କ ସମେତ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକ୍ରାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।