Odiapua.com

ଗଣେଷ ପୂଜା ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପରେ ଭଦ୍ରକର ଦ୍ୱିତୀୟ ପ୍ରସିଦ୍ଧ ଉତ୍ସବ ଗଣେଶ ପୂଜା ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଶାନ୍ତିକମିଟିର ସଦସ୍ୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜନ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହିତ ଗଣେଶ ପୂଜା ପାଳନ ନେଇ ସଦସ୍ୟ ଓ ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ପ୍ରସ୍ତାବ ଓ ଆବଶ୍ୟକ ମତେ ଟିକିନିଖି ସମୀକ୍ଷା କରାଯାଇଥିଲା । ଚଳିତ ମାସ ୧୯ ତାରିଖରେ ପାଳିତ ହେବାକୁ ଥିବା ଗଣେଶ ପୂଜା ଦିନଠାରୁ ଭଦ୍ରକର ପ୍ରସିଦ୍ଧ ବୁଢ଼ାଗଣେଶ, ପିଲାଗଣେଶ, କାଞ୍ଚନ ଗଣେଶ, ଟୋକା ଗଣେଶ ଓ ଛୁଆଗଣେଶଙ୍କ ପୂଜା ଆରମ୍ଭ ହୋଇ ପ୍ରାୟ ଏକମାସ ପର୍ଯ୍ୟନ୍ତ ମଣ୍ଡପରେ ପୂଜା ଚାଲିବ । ଏହି ପୂଜା ପାଳନ ଅବଧି ମଧ୍ୟରେ ସେପ୍ଟେମ୍ବର ୨୮ ଓ ୨୯ ରେ ମହମ୍ମଦ ଜୟନ୍ତୀ ପାଳନ ଓ ଜୁଲସ୍ ଶୋଭାଯାତ୍ରା ଥିବାରୁ ଗଣେଶ ପୂଜା କମିଟି ମାନଙ୍କ ମିଳିତ ନିଷ୍ପତ୍ତି କ୍ରମେ ଗଣେଶ ପୂଜାର ୭/୮ ଦିନପରେ ସାଜସଜା ନେଇ ଆବଦ୍ଧ ରାସ୍ତାକୁ ମୁକ୍ତ କରିବା ପ୍ରସ୍ତାବକୁ ଜିଲ୍ଲାପାଳ ଅତ୍ୟନ୍ତ ଖୁସିର ସହ ଗ୍ରହଣ କରିବା ସହ ଉଭୟ ସମ୍ପ୍ରଦାୟର ଭାଇଚାରାକୁ ପ୍ରଶଂସା କରିଥିଲେ । ଆହୁରି ମଧ୍ୟ ଉଭୟ ପର୍ବ ପାଇଁ ଉଭୟ ସମ୍ପ୍ରଦାୟ ଦ୍ୱାରା ଡି.ଜେ. ବ୍ୟବହାରକୁ ନିଷେଦ୍ଧ କରାଯିବା ପ୍ରସ୍ତାବକୁ ମଧ୍ୟ ଜିଲ୍ଲାପାଳ ଓ ଏସ୍‌.ପି. ସମର୍ଥନ କରିଥିଲେ । ଜିଲ୍ଲା ତମାମ୍ ଡ଼ିଜେ ବ୍ୟବହାର ନିଷେଦ୍ଧ ପାଇଁ ସଦସ୍ୟଙ୍କ ପ୍ରସ୍ତାବର କାର୍ଯ୍ୟାନ୍ୱୟନ ନେଇ ନିୟନ୍ତ୍ରଣ ଦିଗରେ ପ୍ରଶାସନ ସଜାଗ ଥିବା କଥା ପ୍ରକାଶ କରାଯାଇଥିଲା ।

ସୂଚନା ଯୋଗ୍ୟକି ଅକ୍ଟୋବର ୧୫ରେ ବୁଢ଼ା ଗଣେଶଙ୍କ ଭସାଣିରୁ ଭସାଣି ଯାତ୍ରା ଆରମ୍ଭ ହେବ । ୧୬ରେ ପିଲାଗଣେଶ, ୧୭ ରେ କାଞ୍ଚନ ଗଣେଶ, ୧୮ରେ ଟୋକା ଗଣେଶ ଏବଂ ୧୯ରେ ଛୁଆ ଗଣେଶଙ୍କ ଭସାଣି ହେବା ନେଇ କାର୍ଯ୍ୟସୂଚୀ ବୈଠକରେ ଅନୁମୋଦିତ ହେଲା । ଆବହମାନ କାଳରୁ ଭଦ୍ରକର ସମସ୍ତ ପୂଜାପର୍ବରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ରହିଆସିଥିବା ସଦ୍‌ଭାବ ଓ ସହଯୋଗ ଏଥିର ବି ରହିବ ବୋଲି ମୁସଲିମ୍ ଜମାତ ତରଫରୁ ପ୍ରକାଶ କରାଯାଇଥିଲା । ପୂଜା ସମୟରେ ଆବଶ୍ୟକ ପୋଲିସ୍ ପେଟ୍ରୋଲିଂ, ଟ୍ରାଫିକ୍ ନିୟନ୍ତ୍ରଣ, ଭସାଣି ଯାତ୍ରା ପାଇଁ ଆବଶ୍ୟକ ପୋଲିସ୍ ମୂତୟନ, ପ୍ରତି ମଣ୍ଡପରେ ବିଦ୍ୟୁତ୍ ଓ ଅଗ୍ନି ନିରାପତ୍ତା, ସି.ସି.ଟିଭି କ୍ୟାମେରା ବ୍ୟବସ୍ଥା, ପ୍ରତି ମଣ୍ଡପରେ ପ୍ରବେଶ ପ୍ରସ୍ଥାନ ବ୍ୟବସ୍ଥା, ଭସାଣି ପର୍ବରେ ନିଶା ସେବନ ନିଷେଧ୍ୟ, ପୂଜା ମଣ୍ଡପରେ ନିୟୋଜିତ ସ୍ୱେଚ୍ଛାସେବକ ମାନଙ୍କ ପାଇଁ ପରିଚୟ ପତ୍ର, ଆମ୍ବୁଲାନ୍‌ସ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ପ୍ରବାହ, ବିସର୍ଜନ ଘାଟ ପରିଷ୍କାର କରାଯିବା, ମେଢ଼ ନ ଲାଗିବା ପାଇଁ ଡାଳ କଟାଯିବା, ରାସ୍ତାଘାଟ ଆଲୋକିକରଣ ଓ ପରିଷ୍କାର ପରିଚ୍ଛନ୍ନତା, ରାସ୍ତା ମରାମତି ଆଦି ବିଷୟରେ ସମସ୍ତଙ୍କ ମତାମତ ଅନୁଯାୟୀ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନେବାପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଡେପୁଟୀ କଲେକ୍ଟର ଜୁଡ଼ିସିଆଲ କାର୍ତ୍ତିକ ନାଥ ମଣ୍ଡଳ ଧନ୍ୟବାଦ ପ୍ରଦାନ କରିଥିଲେ । ଡି.ଏସ୍‌.ପି., ଡି.ଆଇ.ଜି କମଳ ଲୋଚନ ଭୂୟାଁ, ସିଟି ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ଓ ସଂପୃକ୍ତ ଅଧିକାରୀ, ସମସ୍ତ ପୂଜା କମିଟିର ସଭାପତି ସମ୍ପାଦକ, ମୂସଲିମ ଜମାତର ସଦସ୍ୟ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।