Odiapua.com

ଗଣେଶ ଭସାଣୀ ବେଳେ ଶୋଭାଯାତ୍ରାକାରୀ କଲେ ଗଣ୍ଡଗୋଳ, ହାଣିଲେ ମାରଣାସ୍ତ୍ରରେ, ଭାଙ୍ଗିଲେ ଏକାଧିକ ବାଇକ୍

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ଘଂଟଗଢିଆ ଦେହୁରୀ ସାହିରେ ଗତକାଲି ରାତ୍ରରେ ଗଣେଶ ଭସାଣୀ ବେଳେ ହରିପୁର ଗ୍ରାମ ଠାରେ ଭସାଣୀରେ ସାମିଲ ଥିବା ଶୋଭାଯାତ୍ରାକାରୀ ମାନେ ଗଣ୍ଡଗୋଳ ସହ ଆତଙ୍କ ଖେଳାଇଛନ୍ତି । ରାସ୍ତାରେ ବାଇକକୁ ସାଇଡ୍ କରିବା ନେଇ ଗଣ୍ଡଗୋଳ ଉପୁଜିଥିବା ବେଳେ ଶୋଭାଯାତ୍ରାକାରୀ ମାନେ ଅତି ନୃଶଂସ ଭାବେ ମାରଣାସ୍ତ୍ର ସାହାଯ୍ୟରେ ହରିପୁର ଗ୍ରାମର ଏକାଧିକ ବ୍ୟକ୍ତିଙ୍କୁ ଆକ୍ରମଣ କରି ଗୁରୁତର କରିବା ସହ ଏକାଧିକ ବାଇକକୁ ଭାଙ୍ଗି ଦେବା ପରି ଘଟଣା ସମ୍ପୃକ୍ତ ଅଂଚଳରେ କୋକୁଆଭୟ ସୃଷ୍ଟି କରିଛି । ଥାନାରେ ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ, ଶୁକ୍ରବାର ରାତ୍ରରେ ଘଂଟଗଢିଆ ଦେହୁରୀ ସାହିର ଲୋକେ ଗଣେଶ ଭସାଣୀ କରୁଥିଲେ । ଭସାଣୀ ଶୋଭାଯାତ୍ରା ହରିପୁର ଗ୍ରାମ ମଧ୍ୟରେ ଯାଉଥିବା ବେଳେ ଏଥିରେ ଡିଜେ ସମେତ ଅନ୍ୟ ୨ଟି ଗାଡି ସାମିଲ ଥିଲା । ଡିଜେର ପ୍ରଚଣ୍ଡ ଶଦ୍ଦରେ ହରିପୁର ଗ୍ରାମର ବରିଷ୍ଠ ନାଗରିକ ପ୍ରଭାକର ପଣ୍ଡା ଅସୁସ୍ଥ ହୋଇପଡିଥିଲେ । ଫଳରେ ତାଙ୍କୁ ପରିବାର ଲୋକେ ଘର ଭିତରକୁ ନେଇଯାଇଥିଲେ । ଉକ୍ତ ସମୟ ମଧ୍ୟରେ ରାସ୍ତା ପାଶ୍ୱର୍ରେ ଥିବା ବାଇକକୁ ସାଇଡ କରିବା ନେଇ ଶୋଭାଯାତ୍ରାକାରୀ କହିଥିଲେ । ବାଇକ୍ ମାଲିକ ଅମୂଲ୍ୟରତ୍ନ ନନ୍ଦ ବାଇକଟିକୁ ସାଇଡ୍ କରୁଥିବା ବେଳେ ସେମାନେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ନନ୍ଦଙ୍କ ବାଇକ୍ ସମେତ ଅନ୍ୟ ୩ଟି ବାଇକକୁ ଭଙ୍ଗାରୁଜା କରିଥିଲେ । ଏହାକୁ ବିରୋଧ କରିବାରୁ ଶୋଭାଯାତ୍ରାକାରୀ ମାନେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଗିରିଜା ଶଙ୍କର ପଣ୍ଡାଙ୍କ ସମେତ ଏକାଧିକ ପୁରୁଷ ଓ ମହିଳାଙ୍କୁ ଗୁରୁତର କରିଥିଲେ । ଏପରିକି ଘରେ ପସି ଝିଅବୋହୁଙ୍କୁ ଟଣାଘୋଷରା କରି ମାଡ ମାରି ଲହୁଲୁହାଣ କରିଥିଲେ । ଖବର ପାଇ ଆଗରପଡା ପୋଲିସ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ଶୋଭାଯାତ୍ରାକାରୀ ମାନେ ପୁନର୍ବାର ବାଡିଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ର ଧରି ମାଡି ମାରିବା ସହ ବିଭିନ୍ନ ଧମକ ଦେବାକୁ ପଛାଇ ନଥିଲେ । ଏହି ଆକ୍ରମଣରେ ଗୁରୁତର ହୋଇଥିବା ଗିରିଜା ଶଙ୍କର ଓ ଅନ୍ୟ ମାନଙ୍କୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଛି । ଉପରୋକ୍ତ ଘଟଣା ନେଇ ଆଜି ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ଘଟଣାର ତଦନ୍ତ ପୂର୍ବକ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି । ଏହି ଘଟଣା ପରେ ହରିପୁର ଶାସନ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଉକ୍ତ ଘଟଣା ନେଇ ଥାନା ଏସ୍‌.ଆଇ ସ୍ନିଗ୍ଧା ସାହୁ କହନ୍ତି, ଶୋଭାଯାତ୍ରା ଗଣ୍ଡଗୋଳ ନେଇ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ପୋଲିସ ଉପସ୍ଥି୍‌ତିରେ ଗଣ୍ଡଗୋଳ ହୋଇଥିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ଏଥିରେ କାହାର ହସ୍ତକ୍ଷେପକୁ ଗ୍ରହଣ କରାଯିବ ନାହିଁ ।