ତାଳଚେର, ୨/୯ (ଓଡ଼ିଆ ପୁଅ) : ତାଳଚେରରେ ପ୍ରସିଦ୍ଧ ଗଣେଶ ପୂଜା ଉତ୍ସବ ଗତ ୩୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ବ୍ୟାପକ ଜନସମାଗମ ଦେଖିବାକୁ ମିଳୁଛି। ତାଳଚେର ସମେତ ଏହାର ଆଖାପଖ ଅଂଚଳବାସୀ ସନ୍ଧ୍ୟାରେ ଏହି ପୂଜାକୁ ମନଭରି ଦେଖିବାସହ ଖାଦ୍ୟପେୟର ମଧ୍ୟ ମଜା ନେଉଛନ୍ତି। ଦୀର୍ଘ ୧୦ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ପୂଜା ଯୋଗୁଁ ତାଳଚେର ସହରଠୁ ଆରମ୍ଭ କରି ଗ୍ରାମାଂଚଳ ଉତ୍ସବମୂଖର ହୋଇଉଠିଛି। ଚଳିତ ବର୍ଷ ହାଣ୍ଡିଧୂଆଁ ଠାରୁ ତାଳଚେର ଟାଉନର ପୁରୁଣା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଦୀର୍ଘ ୫ କି.ମି ବ୍ୟାପି ରାସ୍ତାରେ ପ୍ରାୟ ୭୦ଟି ସୁସଜ୍ଜିତ ପୂଜାମଣ୍ଡପରେ ବିଘ୍ନ ବିନାଶକ ପୂଜା ପାଉଛନ୍ତି। ବିଭିନ୍ନ ପୂଜା କମିଟିଗୁଡ଼ିକ ନିଜନିଜର ପୂଜାମଣ୍ଡପଗୁଡ଼ିକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କରିଛନ୍ତି। ହାଣ୍ଡିଧୂଆ ଛକ, ଅନ୍ନପୂର୍ଣ୍ଣା ମାର୍କେଟ, ଶର୍ମା ଛକ, ଆଇ.ଟି.ଆଇ ଛକ, ହିଙ୍ଗୁଳା ମାର୍କେଟ, ଜଗନ୍ନାଥ ମାର୍କେଟ, ହାଟତୋଟା ବଣିକ ସଂଘ, ପ୍ରେସ କ୍ଲବ ଛକ, ହାଟତୋଟା, ତାମ୍ରିତ ମାର୍କେଟ, ବାଇପାସ ମାର୍କେଟ, ବାଇପାସ ଛକ, କଲେଜ ରୋଡ଼, ନୂଆ ବସଷ୍ଟାଣ୍ଡ, ରାମଚନ୍ଦ୍ର ବଜାର, ଚିତ୍ରକୁଟ ବଜାର, ଥାନା ସାହି, ଅରା ସାହି, କାରଗିଲ ଗ୍ରୁପ୍, ବଡ଼ ବଜାର, ନୂଆ ବଜାର, ମହାବଳପଡ଼ା, ବଡ଼ଦାଣ୍ଡ ସାହି, ପୁରୁଣା ପୋଷ୍ଟ ଅଫିସ ଛକ, ହନୁମାନପଡ଼ା, କାରିଗରପଡ଼ା, ମହାରଣା ସାହି, ଭୈରବୀ ସାହି, କୁମ୍ଭାର ସାହି, ବଉଳ ଛକ, ଜୟ ହିନ୍ଦ କ୍ଲବ, ପାଟଣା ସାହି ସମେତ ଅନ୍ୟାନ୍ୟ ସ୍ଥାନରେ ଗଣନାଥଙ୍କୁ ମହାଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଉଛି। ରଙ୍ଗୀନ ଆଲୋକମାଳା ଓ ସୁନ୍ଦର ତୋରଣ, ଲାଇଟ ଗେଟ୍ ଚଳିତ ଥର ଅତି ଆକର୍ଷଣୀୟ ଦେଖାଯାଉଛି। ଏହି ପୂଜା ଉତ୍ସବ ଅବସରରେ ବହୁ ସ୍ଥାନରେ ଅସ୍ଥାୟୀଭାବେ ଖାଦ୍ୟ ଷ୍ଟଲ, ମୀନା ବଜାର, ଦୋଳି ଆଦି ଖୋଲାଯାଇଛି। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବାସହ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି। ଚୋରି, ଛିନତାଇ, ଅସାମଜିକ ବ୍ୟକ୍ତିଙ୍କ ଉତ୍ପାତକୁ ରୋକିବାକୁ ବହୁ ସଂଖ୍ୟାରେ ପୋଳିସ ମୁତୟନ କରାଯାଇଛି। ସେହିପରି ସନ୍ଧ୍ୟାରେ ଜନସମାଗମ ଅଧିକ ସମୟରେ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସମଗ୍ର ସହରକୁ ୪ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଅପରପକ୍ଷରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ସଭାପତି କେଶବ ଭୂତିଆଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ପବିତ୍ର ଗଣେଶ ପୂଜା ଉପଲକ୍ଷେ ତାଳଚେରବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବାସହ ସଦଭାବନା ତଥା ଭାଇଚାରାର ସହ ଗଣପର୍ବକୁ ଉପଭୋଗ କରନ୍ତୁ ବୋଲି ଜଣାଇଛନ୍ତି। ସୂଚନାଯୋଗ୍ୟ ଦୀର୍ଘ ୧୦ଦିନ ବ୍ୟାପି ପାଳିତ ହେବାକୁ ଥିବା ଏହି ପୁଜାର ଲଡ଼ୁ ନିଲାମ ଏବଂ ଭସାଣୀ ଉତ୍ସବ ଆଗାମୀ ୧୦ ତାରିଖରେ ଅନୁଷ୍ଠିତ ହେବ।