Odiapua.com

 ଗଣେଶ ପୂଜାରେ ଖଡ଼ିଛୁଆଁ ଆରମ୍ଭ

ନୟାଗଡ଼, ୨୨ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ‘ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା, ଭିନ୍ନାଭିନ୍ନ ନ କର୍ତ୍ତବ୍ୟଂ ପଂଚଦେବଂ ନମୋସ୍ତୁତେ’। ବିଷ୍ଣୁ, ଶିବ, ଶକ୍ତି, ଓ ସୂର୍ଯ୍ୟଙ୍କ ସହିତ ଗଣେଶଙ୍କୁ ସମାନ ସ୍ଥାନ ଦିଆଯାଇଛି। ଏହି ପଂଚ ଦେବାତାଙ୍କ ମଧ୍ୟରେ ଗଣେଶ ଅଗ୍ରପୂଜ୍ୟ ହୋଇଥିବାରୁ କେବଳ ଗଣେଶଙ୍କୁ ପୂଜାକଲେ ଅନ୍ୟ ସମସ୍ତ ଦେବାଦେବୀ ପୂଜା ପାଆନ୍ତି ବୋଲି ପୌରାଣିକ ମତ ରହିଛି। ‘ଶ୍ରୀ ଗଣେଶାୟ ନମଃ’ ପ୍ରତ୍ୟେକ ଶୁଭକାର୍ଯ୍ୟର ଆଦ୍ୟ ଉଚ୍ଚାରଣ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣେଶଙ୍କ ପୂଜନ ନିଶ୍ଚିତ ଭାବେ ହୋଇଥାଏ। ସେ ସମସ୍ତ ବାଧାବିଘ୍ନ ଦୂରୀକରଣ, ସୁଖ ସମୃଦ୍ଧି ଏବଂ ଜ୍ଞାନର ଭଣ୍ଡାର। ସେଥିପାଇଁ ସେ ସିଦ୍ଧି ବିନାୟକ, ବିଘ୍ନ ବିନାଶକ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଜନ୍ମ ଦିନ ହୋଇଥିବା ଯୋଗୁଁ ଏହି ଦିନର ମାହାତ୍ମ ହିନ୍ଦୁ ସଂସ୍କୃତିରେ ଏକ ମହାନ ଦିନ ଭାବେ ପରିଗଣିତ ହୋଇଛି। ଶ୍ରୀଗଣେଶ ବିଘ୍ନନାଶକ ଓ ବିଦ୍ୟାର ସାଗର ହୋଇଥିବାରୁ ଛାତ୍ରଛାତ୍ରୀମାନେ ଏହିଦିନରେ ସ୍କୁଲ କଲେଜରେ ଗଣେଶଙ୍କୁ ପୂଜା ଆରଧନା କରି ବିଦ୍ୟା ଅର୍ଜନ ପାଇଁ ସ୍ତୁତି କରିଥାନ୍ତି। ଶିଶୁଟିଏ ପାଠପଢାର ପ୍ରଥମ ଦିନ ଏହି ଗଶେଶ ପୂଜାରୁ ହିଁ ଆରମ୍ଭ କରିଥାଏ। ବିଦ୍ୟା ଅର୍ଜନ ପାଇଁ ସେ ପ୍ରଥମେ ଗଣେଶଙ୍କୁ ସୁମରଣା କରି ଆର୍ଶୀବାଦ କାମନା କରି ସ୍ଲେଟ ବା ଚଟାଣ ଉପରେ ଖଡ଼ି ଧରି ପ୍ରଥମ ଅକ୍ଷର ଛୁଆଁ ଦେଇ ବିଦ୍ୟା ଆରମ୍ଭ କରିଥାଏ। ଯାହାକି ଏହାକୁ ଶିଶୁର ପ୍ରଥମ ବିଦ୍ୟାରମ୍ଭର ଖଡ଼ିଛୁଆଁ ପର୍ବ କହନ୍ତି। ଖଡ଼ିଛୁଆଁ ପରେ ଶିଶୁ ତା’ର ବିଦ୍ୟା ଅଧ୍ୟୟନ ପାଇଁ ବିଦ୍ୟାଳୟକୁ ଯାଇଥାଏ। ଖଡ଼ିଛୁଆଁ ପର୍ବ ହେଉଛି ଶିଶୁଙ୍କ ପାଇଁ ବିଦ୍ୟା ଅଧ୍ୟୟନର ଏକ ମହାନ ପରମ୍ପରା। ଯାହା ଯୁଗେ ଯୁଗେ ରହି ଆସିଛି।