ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ମାଧ୍ୟମିକ ଟି.ଜି.ଟି (ପିସିଏମ୍, ସିବିଜେ୍, ଆଟର୍ସ) ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ବ୍ୟବସ୍ଥାରେ ସଂଶୋଧନ ଦାବି କରି ଗଣଶିକ୍ଷା ବିଭାଗର ଜନଶୁଣାଣୀରେ ନିଜ ଅଭିଯୋଗ ଓ ଦାବି ଉପସ୍ଥାପନ କରିଛନ୍ତି।ଶିକ୍ଷକମାନଙ୍କ ଅଭିଯୋଗ ଅନୁସାରେ, ରାଜ୍ୟର ଅନ୍ୟାନ୍ୟ ରାଜ୍ୟ କ୍ୟାଡର କର୍ମଚାରୀମାନେ ସମଗ୍ର ଚାକିରି କାଳରେ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳିର ସୁବିଧା ପାଉଥିବା ବେଳେ, ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଟି.ଜି.ଟି ଶିକ୍ଷକମାନଙ୍କୁ କେବଳ ଗୋଟିଏଥର ଏହି ସୁବିଧା ଦିଆଯାଉଛି। ଏହା ଫଳରେ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନସିକ ଅଶାନ୍ତିରେ ରହୁଥିବା କଥା ସେମାନେ ଉଲ୍ଲେଖ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ମ୍ୟୁଚୁଆଲ ବଦଳି ହେଲେ ସ୍କୁଲ କିମ୍ବା ଜିଲ୍ଲା ସ୍ତରରେ କୌଣସି ପଦବୀର ଅଭାବ କିମ୍ବା ଅତିରିକ୍ତତା ସୃଷ୍ଟି ହୁଏ ନାହିଁ। ତଥାପି ଅନେକ ଶିକ୍ଷକ ଗତ ବର୍ଷ ବଦଳି ହୋଇଥିଲେ ମଧ୍ୟ ନିଜ ବୃଦ୍ଧ ଓ ଅସୁସ୍ଥ ପିତାମାତାଙ୍କ ଯତ୍ନ ପାଇଁ ନିଜ ଜିଲ୍ଲାକୁ ଫେରି ପାରିନଥିବାରୁ ଅସୁବିଧାରେ ପଡ଼ୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ୨୦୨୬-୨୭ ବର୍ଷର ଟ୍ରାନ୍ସଫର ଗାଇଡଲାଇନରେ ଟି.ଜି.ଟି ଶିକ୍ଷକମାନଙ୍କ ପାଇଁ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ସୁବିଧା ସ୍ପଷ୍ଟ ଭାବରେ ପ୍ରଯୁଜ୍ୟ କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି।ଏହି ଅବସରରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବୀରେନ୍ଦ୍ର କୋରକରା ଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ନିଜ ଦାବି ସମ୍ପର୍କରେ ଗୁହାରି କରିଥିଲେ।