Odiapua.com

ଗଣମାଧ୍ୟମରେ ପ୍ରକାଶ ପରେ ୯ବର୍ଷ ଚର୍ମ ରୋଗରେ ଆକ୍ରାନ୍ତ ଲଭଲିର ଚିକିତ୍ସା ପାଇଁ ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

ହରିଚନ୍ଦନପୁର,ତା ୦୨ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ପଞ୍ଚାୟତର ନୂଆଗାଁସ୍ଥିତ ମାମୁଁ ଘରେ ୯ବର୍ଷ ହେବ ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିଲା କୋମଳମତି ଶିଶୁ କନ୍ୟା ଲଭଲି । ଖବର ଅନୁଯାୟୀ ହରିଚନ୍ଦନପୁର ବ୍ଲକ ବଡପଳାଶପାଳ ଗ୍ରାମର ଶରତ ବେହେରାଙ୍କ ବଡ଼ ଝିଅ ଲଭଲି ଜନ୍ମ ହେବାର ୩ମାସ ପରେ ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଇଚାଲିଥିଲା, ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ । ଶରତ ଜଣେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରିଥାନ୍ତି ନିଜ ଗ୍ରାମରେ କାମ ନପାଇବା କାରଣରୁ ଶଶୁରଘର ନୂଆଗାଁ ବାଘୁଆବେଡା ସାହିରେ ଦୀର୍ଘ ଦିନ ହେବ ରହୁଥିଲେ । ପ୍ରତ୍ୟେକ ଦିନ ମୂଲ ଲାଗି ଯାହା ଆଣୁଥିଲେ ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଇବା ଅନେକ କଷ୍ଟକର ହୋଇପଡ଼େ । ଯାହାକୁ ନେଇ ଲଭଲିର ଉନ୍ନତମାନର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତଥାପି ଚିକିତ୍ସା ପାଇଁ ପ୍ରଥମେ ହରିଚନ୍ଦନପୁର ଓ ପରେ କେନ୍ଦୁଝର ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ରେଡ଼କ୍ରସରୁ ୧୬ହଜାର ଟଙ୍କା ସାହାଯ୍ୟ ପାଇବା ପରେ କଟକ ନେଇ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ରୋଗରେ ଧିରେ ଧିରେ ସୁଧାର ଆସିଥିଲା । ହେଲେ ଔଷଧ ସରିବା ପରେ ପୁଣି ଥରେ ପୂର୍ବ ପରି ଦେହର ସମସ୍ତ ସ୍ଥାନରୁ ଫଡାଫଡା ହୋଇ ଚମଡା ଉଠିବା ସହ ଦୁର୍ଗନ୍ଧ ବାହାରିବା ଆରମ୍ଭ କରିଥିଲା । କରୋନା ମହାମାରୀକୁ ନେଇ ସରକାରଙ୍କ ଲକଡାଉନ ନିୟମ କାରଣରୁ କାମଧନ୍ଦା ସବୁ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ଶରତଙ୍କୁ ପରିବାର ଚଳାଇବା ଅନେକ କଷ୍ଟ ହୋଇପଡ଼ିଲା । ରୋଗରେ ପୀଡ଼ିତ ଲଭଲିକୁ ନେଇ ଚିନ୍ତାରେ ପରିବାର ଲୋକେ ରହୁଥିବା ବେଳେ କିଛି ଉପାୟ ନପାଇ ଶେଷରେ ହରିଚନ୍ଦନପୁର ପ୍ରେସ କ୍ଲବର ସାହାଯ୍ୟ ଲୋଡ଼ିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଲା ଓ ସାହାଯ୍ୟର ହାତ ବଢ଼ାଇଲା । ପ୍ରଶାସନ ପକ୍ଷରୁ ଏକ ମେଡିକାଲ ଟିମ୍ ଆମ୍ବୁଲାନ୍ସ ଯୋଗେ ଲଭଲିର ମାମୁଁ ଘରେ ପହଞ୍ଚି ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଅଳୟକୁ ନେଇଥିଲେ । ସେଠାରେ ଲଭଲିର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।