Odiapua.com

ଗଙ୍ଗାଧରଙ୍କ କାବ୍ୟରେ ପ୍ରକୃତି ଚଳମାନ ହୋଇଉଠେ,ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସର

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ ସ୍ୱଭା୍ୱ କବି ଗଙ୍ଗାଧର ମେହେର।ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗୀ। କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠି ଥାଏ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସରରେ ଯୋଗଦେଇ ବିଶିଷ୍ଟ ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ପୂର୍ଣ୍ଣିମା ଆସରରେ ‘ତ୍ୟାଗଭୂମି’ର ସଭାପତି ଅଜୟ ନାୟକ ସଭାପତିତ୍ୱ କରି ଆଜିର ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ପରମ୍ପରା ରହିଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ କବି ରମାକାନ୍ତ ନାୟକ ଯୋଗଦେଇ ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି କବି ଗଙ୍ଗାଧର ଓଡ଼ିଆ କାବ୍ୟ ରଚନାକୁ ଏକ ନୂତନ ଉଚ୍ଚତାକୁ ନେଇଥିଲେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଟଳ ବିହାରୀ ନାୟକ ଯୋଗଦେଇ ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ବୋଲି କହିଥିଲେ। କବି ଦିପ୍ତିମୟୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବୈକୁଣ୍ଠ ନାଥ ଓଝା, ବିଜୟ ବହଳି, ବସନ୍ତ ପାତ୍ର, ବିପ୍ଳବ ହୋତା, ରମେଶ ଦାସ, ବିଜୟ ଜେନା, ଅକ୍ଷୟ ଜେନା, ପ୍ରୀତିଲତା ପଣ୍ଡା, ଅରୂପାନନ୍ଦ ନାୟକ, ମନୋରଞ୍ଜନ ଦାସ, ଶାନ୍ତନୁ ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ସହସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ଦେଇଥିଲେ। ସ୍ୱାଗତଭାଷଣ ସମ୍ପାଦକ ରୂପକ ବିହାରୀ ରାୟ ଦେଇଥିବା ବେଳେ, ଅନୁଷ୍ଠାନର ଉପଦେଷ୍ଟା ଦୁଃଶାସନ ମହାନ୍ତି ଧନ୍ୟବାଦ ଦେଇଥିଲେ।