Odiapua.com

ଖୋଲା ବୁଝାମଣାର ଅର୍ଥ କ’ଣ?

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ତ୍ୱକୁ ନେଇକି ଦୀର୍ଘ ୭୨ ଘଣ୍ଟା ଧରି ସସ୍ପେନ୍ସ ଜାରୀ ରହିଛି। ସେ ବିଜେଡ଼ି ପ୍ରାର୍ଥୀ ନା ବିଜେପି ପ୍ରାର୍ଥୀ ଏବେବି ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ। ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ପୂର୍ଣ୍ଣ ଭାବରେ କୋଳେଇ ନେଲା ପରେ ମଧ୍ୟ ଓଡ଼ିଶା ବାସୀଙ୍କର ମନ ବୁଝୁନାହିଁ। ଆସନ୍ତା କାଲିଠାରୁ ବିଧାନ ସଭା ଅଧିବେଶନ ଆରମ୍ଭ ହେଉଛି। ଆଜି ଥିଲା ବାଚସ୍ପତିଙ୍କ ଦ୍ୱାରା ଡକାଯାଇଥିଲା ସର୍ବଦଳୀୟ ବୈଠକ। ବୈଠକ ଶେଷହେବାପରେ ବିଜେଡ଼ି ଦଳ ତରଫରୁ ଏହାର ମୁଖପାତ୍ର ତଥା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ବିଧାନସଭା ଅଧିବେଶନରେ ଶାସକ ବିଜେଡ଼ିର କ’ଣ ଆଭିମୁଖ୍ୟ ରହିବ ତାହା ଗଣ ମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲେ। ମାତ୍ର ମିଡ଼ିଆର ଗୋଟିଏ ପ୍ରଶ୍ନ ଥିଲା ବିଜେଡ଼ି-ବିଜେପି ସମ୍ପର୍କ ଓ ଅଶ୍ୱିନୀ ବୈଷ୍ଣବ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଡ଼ିଆରେ କହିଥିଲେଯେ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ତ୍ୱକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ। ଏହା ଏକ ଖୋଲା ବୁଝାମଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଅନୁରୋଧ କ୍ରମେ ବିଜେଡ଼ି, ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କଲା। ଓଡ଼ିଶାର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହା କରାଯାଇଛି ବୋଲି ଉଭୟ ବିଜେଡ଼ି ଓ ବିଜେପି ଶିବିରରୁ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରାଯାଉଛି। ମାତ୍ର ରାଜ୍ୟବାସୀଙ୍କର ପ୍ରଶ୍ନ ଅଶ୍ୱିନୀ ବୈଷ୍ଣବଙ୍କର ଓଡ଼ିଶାର ବୃହତ୍ତର ସ୍ୱାର୍ଥର ସମ୍ପର୍କ କ’ଣ? ଏ କେଉଁ ପ୍ରକାରର ପ୍ରବାବଶାଳୀ ବ୍ୟକ୍ତିତ୍ତ୍ୱ ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଓଡ଼ିଶା ପରି ଏକ ରାଜ୍ୟରୁ ରାଜ୍ୟ ସଭାକୁ ପଠାଇବା ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କୁ ଅନୁରୋଧ କଲେ? ଏହି ରାଜନୈତିକ ଗଣିତକୁ ସହଜରେ ହଜମ କରିପାରୁନାହାଁନ୍ତି ସାଢ଼େ ଚାରିକୋଟି ଓଡ଼ିଆ। ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ସହ ସମଦୂରତା ରକ୍ଷା କରିବାର ଦ୍ୱାହି ଦେଉଥିବା ନବୀନ ପଟ୍ଟନାୟକଙ୍କର ଭାଷା ପରିବର୍ତ୍ତନ କାହିଁକି ହେଲା? କେଉଁ ଭୟ କିମ୍ବା କେଉଁ ଧମକ ଆଗରେ ମୁଣ୍ଡ ନୁଆଁଇଲା ବିଜେଡ଼ି? ଅପର ପକ୍ଷରେ ଓଡ଼ିଶାର ମଙ୍ଗ ସମ୍ଭାଳିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବକ୍ତବ୍ୟ ଆହୁରି ହାସ୍ୟାଷ୍ପଦ। ଅଶ୍ୱିନୀ ବୈଷ୍ଣବଙ୍କ ପ୍ରର୍ଥୀତ୍ତ୍ୱକୁ ଯଦି ମୋଦୀ ଏବଂ ଶାହା ଅନୁମୋଦନ କରିଛନ୍ତି ତେବେ ସିଏ ବୋଧ ହୁଏ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବେ। ରାଜ୍ୟସଭା ସାଂସଦ ହେବାପରେ ସେ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆହୁରି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବାକଥା, ତା’ ଛଡ଼ା ଆଗାମୀ ଦିନରେ ଓଡ଼ିଶା ବିଜେପିର ମଙ୍ଗ ଧରିବା ନିଶ୍ଟିନ୍ତ। ତେଣୁ ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ରାଜ୍ୟବାସୀ। ଏହି ରାଜନୈତିକ ଗୋଲକ ଧନ୍ଦାରେ ଓଡ଼ଶାବାସୀଙ୍କର ଗୋଟିଏ ପ୍ରଶ୍ନ ଦୁଇ ଦଳ ନିର୍ବାଚନ ପୂର୍ବରୁ ଯେଉଁ ସମଦୂରତାର ଦ୍ୱାହି ଦେଉଥିଲେ ନିର୍ବାଚନ ପରେ କାହିଁକି ଭୁଆଁ ବୁଲଉଛନ୍ତି।